ବାଲିଆପାଳ ନାବାଳକ ମୃତ୍ୟୁ ଘଟଣା ପରେ ଆଇଆଇସିଙ୍କ ବଦଳି
1 min read
ଆଓରି-ଜଳେଶ୍ୱର(୨୭/୦୭): ବଦଳିରେ ବାଲିଆପାଳ ଆଇଆଇସି । ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ଏସ୍ପି ବଦଳି କରିଛନ୍ତି । ତେବେ ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଞ୍ଜିତ୍ ସାହୁଙ୍କୁ ବାଲିଆପାଳ ଆଇଆଇସି ଭାବେ ଦାୟିତ୍ୱ ଦିଆଯାଇଛି ।
ପ୍ରକାଶଥାଉକି କିଛିଦିନ ତଳେ ବାଲେଶ୍ୱର ଜିଲ୍ଲାର ବାଲିଆପାଳର ଏକ ଢାବାରୁ ଝୁଲନ୍ତା ନାବାଳକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଏନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ନାବାଳକର ମୃତ୍ୟୁକୁ ନେଇ ସ୍ଥାନୀୟ ବାସିନ୍ଦା ଢାବା ମାଲିକଙ୍କ ଘର ଏବଂ ଢାବାକୁ ଜାଳିବା ସହ ଆାଇଆଇସି ପ୍ରଭୁ କଲ୍ୟାଣଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ ।
ତେବେ ପରିବାର ଲୋକଙ୍କୁ ନଜଣାଇ ଶବ ବ୍ୟବଚ୍ଛେଦ କରାଯାଇଥିବା ଅଭିଯୋଗ କରି ଲୋକେ ଆମ୍ବୁଲାନ୍ସ ଓ ପୁଲିସ୍ କର୍ମଚାରୀଙ୍କୁ ଆଜି ଅଟକ ରଖିଥିଲେ। ଗତକାଲି ମୃତ ନାବାଳକ ବିଜୟ ଦଳାଇଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଥିଲେ ।
ଗତକାଲି ଶବ ବ୍ୟବଚ୍ଛେଦ ହୋଇପାରି ନଥିବାରୁ ଆଜି ଭୋର ୫ଟାରେ ଆମ୍ବୁଲାନ୍ସ ଯୋଗେ ୨ଜଣ ପୋଲିସ ବିଜୟଙ୍କ ମୃତଦେହ ଭୋଗରାଇ ବ୍ଲକ ଉଲୁଡାକୁ ନେଇ ଆସିଥିଲେ । ଗ୍ରାମବାସୀ ଅଭିଯୁକ୍ତଙ୍କୁ ଗିରଫ ଏବଂ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଆନ୍ଦୋଳନ କରିଥିଲେ। ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା।