ଗ୍ଲୋଭ୍ସରେ ଥିବା ବ୍ୟାଜ୍ ଧାର୍ମିକ, ସାମ୍ପ୍ରଦାୟିକ କିମ୍ବା ରାଜନୈତିକ ବାର୍ତ୍ତା ଦେଉ ନ ଥିବ, ତା’ହେଲେ ଧୋନୀଙ୍କୁ ଗ୍ଲୋଭ୍ସ ପିନ୍ଧିବାକୁ ଅନୁମତି ମିଳିବ ; ଆଇସିସି
1 min read
ଆଓରି-ନୂଆଦିଲ୍ଲୀ(୦୭/୦୬) : ବିଶ୍ଵକପ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତୀୟ ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନୀ ପିନ୍ଧିଥିବା ଗ୍ଲୋଭ୍ସକୁ ନେଇ ଆଇସିସି(ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଆପତ୍ତି ଉଠାଇବା ପରେ ବିବାଦ ସୃଷ୍ଟି ହୋଇଛି। ଗ୍ଲୋଭ୍ରେ ଲାଗିଥିବା ‘ବଳିଦାନ’ ବ୍ୟାଜ୍କୁ ହଟାଇବା ଲାଗି ଆଇସିସି ଧୋନୀଙ୍କୁ ନିର୍ଦେଶ ଦେଇଥିଲା। କିନ୍ତୁ ବିସିସିଆଇ ଧୋନୀଙ୍କୁ ସମର୍ଥନ କରି ଆଇସିସିକୁ ଚିଠି ଲେଖି ଧୋନୀଙ୍କୁ ‘ବଳିଦାନ’ ବ୍ୟାଜ୍ ଲାଗିଥିବା ଗ୍ଲୋଭ୍ସ ପିନ୍ଧିବାକୁ ଅନୁମତି ଦେବା ପାଇଁ ଅନୁରୋଧ କରିଛି।
ଏହା ପରେ ଆଇସିସି ଏହା ଉପରେ ପୁନର୍ବିଚାର କରିବ ବୋଲି କହିଛି। ଏହା ସହିତ ଗୋଟିଏ ସର୍ତ୍ତରେ ଧୋନୀଙ୍କୁ ଉକ୍ତ ଗ୍ଲୋଭ୍ସ ପିନ୍ଧିବାକୁ ଅନୁମତି ଦିଆଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଏକ ଜାତୀୟ ଗଣମାଧ୍ୟମକୁ ଆଇସିସି କହିଛି ଯେ, ଯଦି ବିସିସିଆଇ ଆଇସିସିକୁ ବିଶ୍ଵାସ ଦେଇପାରିବ ଯେ ଧୋନୀ ପିନ୍ଧିଥିବା ଉଇକେଟ କିପିଂ ଗ୍ଲୋଭ୍ସରେ ଥିବା ବ୍ୟାଜ୍ କୌଣସି ଧାର୍ମିକ, ସାମ୍ପ୍ରଦାୟିକ କିମ୍ବା ରାଜନୈତିକ ବାର୍ତ୍ତା ଦେଉ ନ ଥିବ, ତା’ହେଲେ ତାଙ୍କୁ ଗ୍ଲୋଭ୍ସ ପିନ୍ଧିବାକୁ ଅନୁମତି ମିଳିପାରିବ।