April 20, 2024

କଂଗ୍ରେସକୁ ବଡ଼ ଝଟକା ; ହାତ ଛାଡିଲେ ଆଶା ପଟେଲ

1 min read
Asha-Patel-Leaved-Congress-Party-Aajira-Odisha

ଆଓରି-ନୂଆଦିଲ୍ଲୀ(୦୪/୦୨) : ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି । କଂଗ୍ରେସ ବିଧାୟିକା ଆଶା ପଟେଲ ଦଳରେ ଅନ୍ତଃକନ୍ଦଳ ପାଇଁ ‘ହାତ’ ଛାଡ଼ିଥିବା ଜଣାପଡ଼ିଛି । ଉଭୟ ବିଧାୟକା ପଦ ଏବଂ ପାର୍ଟିରୁ ଇସ୍ତଫା ଦେଇଛନ୍ତି ଆଶା । ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିକୁ ଆଶା ଦେଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି, ‘ଗୋଟିଏ ପଟେ ସାଧାରଣ ବର୍ଗର ଗରିବଙ୍କ ପାଇଁ ମୋଦି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଅନ୍ୟପଟେ କଂଗ୍ରେସ ବିଭିନ୍ନ ଜାତି ଭିତରେ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ।’

ମହେସାଣା ଲୋକସଭା ସିଟ୍‌ରେ ଆସୁଥିବା ୭ଟି ବିଧାନସଭା ସିଟ୍‌ ମଧ୍ୟରେ ଉଞ୍ଝା ଗୋଟିଏ । ଏଠାକାର ୭ ବିଧାନସଭା ସିଟ୍‌ରୁ ୪ଟି କଂଗ୍ରେସର ଏବଂ ୩ଟି ବିଜେପିର । ମହେସାଣା ଲୋକସଭା ସିଟ୍‌ରେ ବିଜେପିର କବଜା ରହିଛି । ଗୁଜୁରାଟରେ ପଟେଲ ଆରକ୍ଷଣ ଆନ୍ଦୋଳନ ପରେ ୨୦୧୭ରେ ହୋଇଥିବା ବିଧାନସଭା ନିର୍ବାଚନରେ ଆଶା ପଟେଲ ବିଜେପିର ନାରାୟଣ ଲାଲୁ ପଟେଲଙ୍କୁ ହରାଇ ଉଞ୍ଝା ସିଟ୍‌କୁ କବଜା କରିଥିଲେ ।

ପାର୍ଟିରେ ଦଳୀୟକନ୍ଦଳ ଏବଂ ଦଳୀୟ କାର୍ଯ୍ୟରେ ତାଙ୍କ ପ୍ରତି ଅବହେଳା ହେଉଥିବା ଯୋଗୁଁ ଇସ୍ତଫା ଦେଇଥିବା କହିଛନ୍ତି ଆଶା । ଏହାସହ ମିଳିଥିବା ରିପୋର୍ଟ ଅନୁସାରେ ଆଶା ଖୁବଶୀଘ୍ର ‘ପଦ୍ମ’ ଧରିପାରନ୍ତି । ୨୦୧୭ ବିଧାନସଭା ନିର୍ବାଚନରେ ୧୮୨ଟି ସିଟ୍‌ରୁ ବିଜେପିକୁ ୯୯ ଏବଂ କଂଗ୍ରେସକୁ ୭୭ଟି ସିଟ୍‌ ମିଳିଥିଲା । ଏହା ପ୍ରଥମ ନୁହେଁ ଯେ କଂଗ୍ରେସ ବିଧାୟକ ବିଜେପିରେ ମିଶିଛନ୍ତି । ଏହାପୂର୍ବରୁ କଂଗ୍ରେସ ବିଧାୟକ କୁମ୍ବର୍ଜୀ ବାବଲୀୟା କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.