ସ୍ଵାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ୧୦୩ବର୍ଷରେ ପରଲୋକ
1 min read
ଆଓରି-ଭୁବନେଶ୍ଵର(୨୭/୦୬) : ସ୍ଵାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ପରଲୋକ ଘଟିଛି। ନବରଙ୍ଗପୁର ସହରସ୍ଥିତ ସୁନାରୀ ସାହିରେ ଥିବା ତାଙ୍କ ନିଜ ବାସଭବନଠାରେ ପୂର୍ବାହ୍ନ ୧୦.୧୫ମିନିଟ୍ରେ ତାଙ୍କ ଦେହାନ୍ତ ହୋଇଛି। ତେବେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ବାଜିଙ୍କ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ କରାଯାଇଥିବା ସୂଚନା ମିଳିଛି।
ମୃତ୍ୟୁ ବେଳକୁ ତାଙ୍କୁ ୧୦୩ବର୍ଷ ବୟସ ହୋଇଥିଲା। ମହମ୍ମଦ ବାଜି ଭୂଦାନ ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ୧୯୧୭ ମସିହା ଜାନୁଆରୀ ୨୮ ତରିଖରେ ମହମ୍ମଦ ବାଜି ନବରଙ୍ଗପୁରରେ ଜନ୍ମ ଗ୍ରହଣ କରିଥିଲେ। ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ୧୦ମ ଶ୍ରେଣୀରୁ ହିଁ ପାଠପଢା ଛାଡ଼ି ଦେଶ ସେବାରେ ନିୟୋଜିତ ହୋଇଥିଲେ। ସେ ଅବିବାହିତ ଏବଂ ଜଣେ ଶାକାହାରୀ ଥିଲେ।
ପ୍ରାକ୍ତନ ଶିକ୍ଷକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ଵାଧିନତା ସଂଗ୍ରାମୀ ସଦାଶିବ ତ୍ରିପାଠୀଙ୍କ ଛାତ୍ର ବାଜି ଜୟପୁର ହାଇସ୍କୁଲଠାରେ ପାଠ ପଢିବା ସମୟରେ ରାଧାମୋହନ ବିଶ୍ୱାସରାୟ ଓ ରାଧାମୋହନ ସାହୁଙ୍କ ସଂସ୍ପର୍ଶରେ ଆସିଥିଲେ। ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତାରେ ଅନୁପ୍ରାଣିତ ହୋଇ ଜାତୀୟ କଂଗ୍ରେସରେ ଯୋଗ ଦେଇଥିିଲେ। ଗାଁ ଗାଁ ବୁଲି ସ୍ଵାଧୀନତା ସଂଗ୍ରାମର ବାର୍ତ୍ତା ବାଣ୍ଟି ସଂଗ୍ରାମୀଙ୍କୁ ସଙ୍ଗଠିତ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ ଭାରତ ଛାଡ ଆନ୍ଦୋଳନରେ ବହୁବାର ଜେଲ ମଧ୍ୟ ଯାଇଥିଲେ। ବାଜି ଜଣେ ମୁସଲମାନ ହୋଇଥିଲେ ମଧ୍ୟ ସବୁ ଧର୍ମକୁ ସମାନ ଭାବେ ଦେଖୁଥିଲେ । ରଥଯାତ୍ରା, ବିଭିନ୍ନ ଦେବଦେବୀ ପର୍ବପର୍ବାଣିରେ ସେ ଉପସ୍ଥିତ ରହି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିଲେ । ଆଜୀବନ ଖଦି ବସ୍ତ୍ର ପିନ୍ଧିବା ସହ ନିଜେ ନିଜେ ସୂତା କାଟିବା ଭଳି ଅନେକ କିଛି ଉଲ୍ଲେଖନୀୟ କାର୍ଯ୍ୟ ସେ ଜୀବନକାଳ ମଧ୍ୟରେ କରୁଥିଲେ।