ଶେଷରେ କାଶ୍ମୀର ପ୍ରସଙ୍ଗରେ ହାର ମାନିଲେ ଇମ୍ରାନ ଖାନ
1 min read
ଆଓରି-ନୂଆଦିଲ୍ଲୀ(୨୫/୦୯) : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେଷରେ କାଶ୍ମୀର ପ୍ରସଙ୍ଗରେ ହାର୍ ମାନିଛନ୍ତି। ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିବାରେ ସେ ବିଫଳ ହୋଇଥିବା ସ୍ବୀକାର କରିଛନ୍ତି। ଏଥିପାଇଁ ସେ ବିଶ୍ଵର ନେତାମାନଙ୍କୁ ଦାୟୀ କରିଛନ୍ତି। ଇମ୍ରାନ ଆମେରିକା ଗସ୍ତ କରିଥିବାବେଳେ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ମୁଁ ଅନ୍ତର୍ଜାତୀୟ ସମୁଦାୟଠାରୁ ନିରାଶ ହୋଇଛି। ଯଦି ୮୦ ଲକ୍ଷ ୟୁରୋପୀୟ ଅଥବା ୟହୁଦୀ କିମ୍ବା ମାତ୍ର ୮ ଜଣ ଆମେରିକୀୟ କେଉଁଠି ଯଦି ଫଶିଥାନ୍ତେ, ତେବେ ବିଶ୍ଵର ନେତାମାନଙ୍କ ବ୍ୟବହାର କ’ଣ ଏପରି ହୋଇଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ମୋଦୀଙ୍କ ଉପରେ କୌଣସି ପ୍ରକାର ଚାପ ପକାଯାଉ ନାହିଁ। କିନ୍ତୁ ମୁଁ ତାଙ୍କ ଉପରେ ଚାପ ପକାଇବା ଜାରି ରଖିବି। କାଶ୍ମୀରରେ ୯ଲକ୍ଷରୁ ଅଧିକ ସୈନ୍ୟ କ’ଣ କରୁଛନ୍ତି ? ଥରେ କର୍ଫ୍ୟୁ ଉଠିଗଲେ ସେଠାରେ କ’ଣ ଘଟିବ ତାହା କେହି ଜାଣନ୍ତି ନାହିଁ। ଆପଣମାନଙ୍କୁ ଲାଗୁଛି କି କାଶ୍ମୀରୀମାନେ ଚୁପ୍ ରହିବେ ? କାର୍ଯ୍ୟକ୍ରମରେ ଏଭଳି କିଛି ପ୍ରଶ୍ନ କରିଥିଲେ ଇମ୍ରାନ।
ଭାରତ ୧୩୦ କୋଟି ଲୋକଙ୍କ ବଜାର ହୋଇଥିବାରୁ ବିଶ୍ଵ ତାକୁ ପ୍ରାଥମିକତା ଦେଉଛି। କିନ୍ତୁ ଆମେ ଆମର ଲଢ଼େଇ ଜାରି ରଖିବୁ। ଭାରତର ଆର୍ଥିକ ବ୍ୟବସ୍ଥା ଏବଂ ବିଶ୍ଵର ରହିଥିବା ଏହାର ଗୁରୁତ୍ଵ ହିଁ କାଶ୍ମୀର ପ୍ରସଙ୍ଗରେ ସମସ୍ତେ ଚୁପ ରହିବାର ମୂଳ କାରଣ ବୋଲି ଇମ୍ରାନ କହିଛନ୍ତି।