କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବନି ଆମେରିକା
1 min read
ଆଓରି-ନୂଆଦିଲ୍ଲୀ(୧୩/୦୮) : କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକାର ନା । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, କଶ୍ମୀର ଉପରେ ଏବେ ଆଉ କୌଣସି ବିଚାର ବା ମଧ୍ୟସ୍ଥତା କରାଯିବ ନାହିଁ । ବରଂ ଦ୍ୱିପାକ୍ଷିକ ସ୍ତରରେ ସମସ୍ୟାର ସମାଧାନ କରିବା ପାଇଁ ଭାରତ ଏବଂ ପାକିସ୍ତାନକୁ ପ୍ରସ୍ତାବ ଦିଆଯିବ । ତେବେ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ବିବାଦରେ ମଧ୍ୟସ୍ଥତା କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ। ହେଲେ ଭାରତ ସରକାର କଶ୍ମୀର ପ୍ରସଙ୍ଗରେ କାହାର ମଧ୍ୟସ୍ଥତା ଦରକାର ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ।
ଜୁଲାଇ ୨୨ରେ ଟ୍ରମ୍ପ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ଟ୍ରମ୍ପ କହିଥିଲେ ଯେ “କଶ୍ମୀର ପ୍ରସଙ୍ଗରେ ଆମେରିକା ମଧ୍ୟସ୍ଥତା କରିବାକୁ ଚାହୁଁଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ନିବେଦନ କରିଛନ୍ତି। ଭାରତ ଓ ପାକିସ୍ତାନ ଚାହିଁଲେ ମୁଁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ରହିଛି।” ତେବେ ଭାରତ ପକ୍ଷରୁ ମୋଦି କେବେ ହେଲେ ଏଭଳି ନିବେଦନ କରି ନଥିଲେ ବୋଲି ପରେ ସ୍ପଷ୍ଟ କରାଯାଇଥିଲା।