ଲଣ୍ଡନରେ ଗିରଫ ହେଲେ ହୀରା ବ୍ୟବସାୟୀ ନୀରବ ମୋଦୀ
1 min read
ଆଓରି-ନୂଆଦିଲ୍ଲୀ(୨୦/୦୩) : ଶେଷରେ ଲଣ୍ଡନରେ ଗିରଫ ହେଲେ ଭାରତରୁ ଲୁଚି ପଳାଇଥିବା ହୀରା ବ୍ୟବସାୟୀ ନୀରବ ମୋଦୀ। ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି) ମହାଘୋଟାଲାର ସେ ମୁଖ୍ୟ ଅଭିଯୁକ୍ତ ଥିଲେ। ପିଏନବିରୁ ପାଖାପାଖି ୧୩୭୦୦ କୋଟି ଟଙ୍କା ଠକେଇ କରି ସେ ଦେଶ ଛାଡ଼ି ପଳାଇଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ଅନୁରୋଧ କ୍ରମେ ଲଣ୍ଡନ ପୋଲିସ ତାଙ୍କୁ ଗିରଫ କରିଛି। ପରେ ତାଙ୍କୁ ପୁଲିସ ୱେଷ୍ଟମିନିଷ୍ଟର କୋର୍ଟରେ ହାଜର କରିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ନୀରବ ମୋଦୀ ଋଣ ଫେରସ୍ତ ନ କରି ଲଣ୍ଡନରେ ଆଲିସାନ ଘରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ଏପରି କି ସେଠାରେ ନୂଆ ହୀରା ବ୍ୟବସାୟ ମଧ୍ୟ ଆରମ୍ଭ କରିଥିଲେ। ଲଣ୍ଡନର ଏକ ଗଣମାଧ୍ୟମ ୟୁକେ ଡେଲି ଟେଲିଗ୍ରାଫ ତାଙ୍କର ଏକ ଭିଡିଓ ଜାରି କରିବା ପରେ ଦେଶରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ନୀରବଙ୍କୁ ଗିରଫ କରିବା ଲାଗି ଇଡି ଲଣ୍ଡନ ପୁଲିସକୁ ଅନୁରୋଧ କରିଥିଲା। ପୂର୍ବରୁ ନୀରବଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ବ୍ରିଟେନ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏଥିସହ ଇଣ୍ଟରପୋଲର ରେଡ୍ କର୍ନର ନୋଟିସ ଜାରି ହୋଇଥିଲା। କିନ୍ତୁ ବ୍ରିଟେନ ସରକାର କୌଣସି ପଦକ୍ଷେପ ନେଉ ନ ଥିଲେ।