ଓଡିଆମାନଙ୍କ ଅଧିକାର ଛଡାଇ ନେବାର କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୦୫/୦୪) : କଳାହାଣ୍ଡିର ନର୍ଲା, ଜୁନାଗଡ ଓ ଧର୍ମଗଡ ଠାରେ ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଫଳତା ବଖାଣିଥିଲେ । ୧୯ ବର୍ଷ ଶାସନରେ ଥିବା ବିଜେଡି ସରକାର ସାଧାରଣ ଲୋକର ଅଧିକାର ଛଡ଼ାଇ ନେବାର ଅପଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାସହ ରାଜ୍ୟରେ ପିସି ବିନା କାର୍ଯ୍ୟ ଅସମ୍ଭବ । ଏପରିକି ଶାସକ ଦଳର ପକେଟ ଗରମ ନକଲେ ଘର ଓ ଭତ୍ତା ମିଳୁନଥିବା ମଧ୍ୟ କହିଛନ୍ତି ଶ୍ରୀ ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗତ ୫ ବର୍ଷ ତଳେ ବିଜୁ ଜନତା ଦଳ ୨୦୧୯ ସୁଦ୍ଧା ସବୁ ଗରିବଙ୍କୁ ଘର ମିଳିବ ବୋଲି କହିଥିଲା ମାତ୍ର ଧର୍ମଗଡ ବ୍ଲକ ଜୟନ୍ତପୁର ପଂଚାୟତ ଏନଗୁଡା ଗ୍ରାମର ୮୦ ବର୍ଷୀୟ ବୃଦ୍ଧା ରତନ ନାୟକଙ୍କୁ ବାର୍ଧକ୍ୟ ଭତା କିମ୍ବା ଘରର ସୁବିଧା ମିଳିଲା ନାହିଁ । ସେହିପରି ଡୁମେରଗୁଡା ପଂଚାୟତ କେରମୁଣ୍ଡା ଗ୍ରାମର କାଦମ୍ବିନୀ ନାୟକଙ୍କୁ ଆବାସ ଯୋଜନା ଯୋଗ୍ୟତା ସତ୍ୱେ ମିଳିନଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ମୋଦି ପଇସା ଦେଲାବେଳେ ଶାସକ ଦଳର ଲୋକମାନେ ଦଲାଲି କଲେ । ଦଲାଲି କରି ନିଜ ପକେଟ ଗରମ କଲେ । ଓଡିଆ ଲୋକ ଦୁଃଖରେ ରୁହନ୍ତୁ, ଚିକିତ୍ସା ନପାଆନ୍ତୁ, ମା’ ଭଉଣୀମାନେ କଷ୍ଟରେ ରୁହନ୍ତୁ ନବୀନ ବାବୁଙ୍କ ନୀତି । ଆବାସ ଯୋଜନା ପାଇଁ ନରେନ୍ଦ୍ର ମୋଦି ଦିଲ୍ଲୀରୁ ଟଙ୍କା ପଠାଉଥିବା ବେଳେ ସେ ଟଙ୍କା କୁଆଡେ ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ ।
ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପିର ସରକାର କେନ୍ଦ୍ର ଓ ଓଡିଶାରେ ହେଲେ ଅଙ୍ଗନବାଡୀ କର୍ମୀଙ୍କୁ ମାସିକ ୧୫, ୦୦୦ ଟଙ୍କା ଦରମା ଦିଆଯିବା ସହ ଅଙ୍ଗନବାଡୀ ସହାୟିକାଙ୍କ ଦରମା ୯ ହଜାର କରାଯିବ ଏବଂ ଅବସର ପରେ ସେମାନଙ୍କୁ ୧ ଲକ୍ଷ ଟଙ୍କାର ମାନଧନ ଅନୁଦାନ ଦିଆଯିବ । ଆଗାମୀ ୫ ବର୍ଷ ଭିତରେ ସବୁ ଗରିବ ଘରଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ, ଏକ ଲକ୍ଷ କୋଟି ଟଙ୍କା ବ୍ୟୟରେ ଜଳସେଚନର ବ୍ୟବସ୍ଥା କରାଯିବ, ୱାନ ଡ୍ରିଷ୍ଟିକ୍ଟ ଓାନ୍ ପ୍ରଡକ୍ଟ ଆଧାରରେ କଳାହାଣ୍ଡିରେ ମଣ୍ଡି ବନାଯାଇ ଉତ୍ପାଦିତ ଜିନିଷକୁ ବିଶ୍ୱ ବଜାରରେ ପହଁଚାଯିବ, ଗରିବଙ୍କ ସୁବିଧା ପାଇଁ ଏମସ୍ ଭଳି ମେଡିକାଲ ନିର୍ମାଣ କରାଯିବ । ସେହିପରି ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଚାଷୀର ଉନ୍ନତି ବ୍ୟବସ୍ଥା କରାଯିବ । ଏଠାକାର ଧାନ ବା ବାସୁମତି ଚାଉଳ ବିଦେଶରେ ପହଁଚାଯିବ, ରୋଜଗାର ବଢାଯିବା ସହ ମହିଳାଙ୍କ ଇଜ୍ଜତକୁ ସୁରକ୍ଷା ଦିଆଯିବ ବୋଲି ଶ୍ରୀ ପ୍ରଧାନ ଘୋଷଣା କରିଛନ୍ତି ।
ମୋଦି ସରକାରଙ୍କ ୫ ବର୍ଷରେ ଓଡିଶାରେ ୮ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହୋଇଛି । ସେହିପରି ମୋଦିଙ୍କ ସରକାରରେ ଓଡିଶାରେ ୫୦ ଲକ୍ଷ ଶୌଚାଳୟ ବନିଛି । ମାତ୍ର ଭାରତବର୍ଷରେ ପାଇଖାନା ନିର୍ମାଣରେ ପଛୁଆ ରାଜ୍ୟ ଭାବେ ଓଡିଶା ରହିଛି । ସେହିପରି ମୋଦିଙ୍କ ସରକାରରେ ୨୪ ଲକ୍ଷ ଲୋକଙ୍କ ଘରେ ବିଜୁଳି ଲାଗିଥିବା ବେଳେ ସ୍ୱାଧୀନତାର ୭୦ ବର୍ଷ ପରେ ୪ ହଜାର ଗାଁରେ ମାଗଣା ବିଜୁଳି ଲାଗିଛି, ୪୦ ଲକ୍ଷ ଗ୍ୟାସ ସିଲିଣ୍ଡର ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବଙ୍କ ସ୍ୱାସ୍ଥ୍ୟ ସୁବିଧା ପାଇଁ ଆୟୁଷ୍ମାନ ଭାରତ ଯୋଜନା କଲେ, କୃଷକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କଲେ, ଶ୍ରମିକଙ୍କ ପାଇଁ ଶ୍ରମଯୋଗୀ ଯୋଜନାରେ ପେନସନ ବ୍ୟବସ୍ଥା କଲେ ମାତ୍ର ନବୀନ ବାବୁ ଏହି ବ୍ୟବସ୍ଥା କରେଇ ଦେଲେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।