ପୁରୀ ଉପକୂଳ ଠାରୁ ୩୬୦ କିଲୋମିଟର ଦୂରରେ ବାତ୍ୟା ‘ଫୋନି’
1 min read
ଆଓରି-ଭୁବନେଶ୍ଵର(୦୨/୦୫) : ମାଡ଼ି ଆସୁଛି ବାତ୍ୟା ‘ଫୋନି’ । ଧିର ମନ୍ଥର ବେଗରେ ‘ଫୋନି’ ଓଡ଼ିଶା ମୁହାଁଉଛି । ପାଖାପାଖି ୧୬ କିମି ଘଣ୍ଟାପ୍ରତି ବେଗରେ ଆସି ସାତପଡ଼ାରେ ଲ୍ୟାଣ୍ଡଫଲ କରିପାରେ ‘ଫୋନି’ । ଏବେ ‘ଫୋନି’ ପୁରୀ ଉପକୂଳ ଠାରୁ ୩୬୦ କିଲୋମିଟର ଦୂରରେ ରହିଥିବା ବେଳେ ଆସନ୍ତା କାଲି ୧୦ଟାରୁ ୧୨ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହାସହ ‘ଫୋନି’ର ପ୍ରଭାବ ତିତିଲି ଠାରୁ ବଡ଼ କିନ୍ତୁ ଫାଇଲିନ ଠାରୁ ଛୋଟ ହେବ ବୋଲି କୁହାଯାଉଛି । ହୁଡହୁଡର ପ୍ରକୋପ ଭଳି ‘ଫୋନି’ର ପ୍ରଭାବ ରହିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର ।
ବାତ୍ୟା ‘ଫୋନି’କୁ ଦୃଷ୍ଟିରେ ରଖି ବିଭିନ୍ନ ରିଲିଫ ସାମଗ୍ରୀର ପ୍ୟାକେଟ କରାଯାଉଛି । ତେବେ ଏହାରି ଭିତରେ ଫୋନିର ଆଗମନରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହଲକା ପବନ ସହ ବର୍ଷା ମଧ୍ୟ ଆରମ୍ଭ ହୋଇଛି । ବାତ୍ୟା ମୁକାବିଲା ନେଇ ଏସଆରସି ବାରମ୍ବାର ପ୍ରସ୍ତୁତି ବୈଠକ କରୁଛନ୍ତି । ଏସଆରସିଙ୍କ କାର୍ଯ୍ୟାଳୟରେ ଚାଲିଥିବା ବୈଠକ ପରେ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।
ବାତ୍ୟା ମୁକାବିଲା ନେଇ ୧୩ ଜିଲ୍ଲାକୁ ଗୁରୁତ୍ୱ ଦିଆଯାଇଛି । ପ୍ରତି ଜିଲ୍ଲାରେ ଅତିରିକ୍ତ ୧୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି । ଆବଶ୍ୟକ ଔଷଧ ଓ ପ୍ରତିଷେଧକ ବ୍ୟବସ୍ଥା ହୋଇଛି । ରୋଗୀ ସେବା ପାଇଁ ୪୯୪ଟି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି । ୬୦୦ରୁ ଅଧିକ ଗର୍ଭବତୀଙ୍କୁ ମାଆ ଘରକୁ ପଠାଇବାର ବ୍ୟବସ୍ଥା ହୋଇଛିଥିବା ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।