ଓଡିଶାକୁ ନିଜର ଜାଗିର ଓ ବ୍ୟକ୍ତିଗତ ସମ୍ପତ୍ତି ବୋଲି ଭାବୁଛନ୍ତି ମୁଖ୍ୟମନ୍ତ୍ରୀ ; ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୧୪/୧୨) : ଆଗାମୀ ୨୦୧୯ ନିର୍ବାଚନ ଓଡ଼ିଆ ଲୋକଙ୍କ ପାଇଁ ଜବାବ ମାଗିବାର ନିର୍ବାଚନ ହେବ। ୧୯ ବର୍ଷ ଧରି ଶାସନରେ ରହି ଲୋକମାନେ ଜନସେବା ବଦଳରେ ଓଡ଼ିଶାକୁ ନିଜର ଜାଗିର ଓ ବ୍ୟକ୍ତିଗତ ସମ୍ପତ୍ତି ବୋଲି ଭାବୁଛନ୍ତି। ରାଜ୍ୟ ସରକାରଙ୍କ ସ୍ଥାଣୁତା, ଭ୍ରଷ୍ଟାଚାର, ଶିକ୍ଷାର ଅବ୍ୟବସ୍ଥା ଓ ସମ୍ବେଦନହୀନତା ଆଦିର ଜବାବ ନିର୍ବାଚନରେ ଦେବାକୁ ହେବ। ଫଳରେ ରାଜ୍ୟକୁ ସ୍ଵାବଲମ୍ବୀ, ସ୍ଵାଭିମାନୀ ଓ ସମୃଦ୍ଧଶାଳୀ କରି ନୂତନ ଓଡ଼ିଶା ସ୍ଵପ୍ନକୁ ସାକାର କରିହେବ। ବାଲେଶ୍ୱର ଜିଲା ଭୋଗରାଇଠାରେ ଶୁକ୍ରବାର ଜନପରାମର୍ଶ ପଦଯାତ୍ରା ଓ ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବା ସମୟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।
ଓଡ଼ିଶାର ଜନତା ପିିସିରେ ପୋତି ହୋଇଯାଉଛନ୍ତି। ୭୫ ବର୍ଷର ବୃଦ୍ଧା ମଧ୍ୟ ଏଥିରୁ ବାଦ୍ ପଡ଼ୁନାହିଁ। ଭତ୍ତା ଲାଗି ତାଙ୍କୁ ହାତଗୁଞ୍ଜା ଦେବାକୁ ପଡ଼ୁଛି। ସେହିପରି ସରକାରୀ ପ୍ରୋତ୍ସାହନରେ ଚିଟ୍ଫଣ୍ଡ କମ୍ପାନୀମାନେ ଓଡ଼ିଆଙ୍କ ଅର୍ଥ ଲୁଟ କରିଛନ୍ତି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି।
ନିକଟରେ ଗୁଡ୍ ନ୍ୟୁଜ ଇଣ୍ଡିଆ ଭଳି ସଂସ୍ଥା ସେଲଟ୍ର ହୋମ୍ କରି ଓଡ଼ିଆ ପିଲାମାନଙ୍କୁ ନିର୍ଯ୍ୟାତନା, ଚାଲାଣ ଓ ଧର୍ମାନ୍ତରୀକରଣ କରୁଥିବା ଜଣାପଡ଼ିଥିଲା। ମାତ୍ର ବିଭାଗୀୟ ମନ୍ତ୍ରୀଏହା ଜାଣି ନ ଥିବା କହୁଛନ୍ତି। ଏହା ଅପାରଗତା ଓ ସମ୍ବେଦନହୀନ ମନ୍ତବ୍ୟ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏଥିସହ ଧର୍ମେନ୍ଦ୍ର ପିଠା ଯୋଜନାକୁ ବୃଦ୍ଧ ବ୍ୟାଘ୍ରର ସ୍ଵର୍ଣ୍ଣ କଙ୍କଣ ବୋଲି ଉପାଖ୍ୟାନ କରି କହିଥିଲେ। ସେହିଭଳି ମୋଦି ସରକାର ସମସ୍ତ ଘରକୁ ବିଜୁଳି ଓ ପାଇଖାନାର ବ୍ୟବସ୍ଥା କରୁଥିଲେ ସୁଦ୍ଧା ଓଡ଼ିଶାରେ ଲୋକେ ବିନା ବିଜୁଳି ଓ ବିନା ପାଇଖାନାରେ ଅଛନ୍ତି। ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଲାଗୁ କରିନାହାନ୍ତି। ଫଳରେ ଲୋକେ ଉପଯୁକ୍ତ ସ୍ଵାସ୍ଥ୍ୟସେବାରୁ ବଞ୍ଚିତ ହେଲେ ବୋଲି ସେ କହିଛନ୍ତି।