୨୦୧୯ ନିର୍ବାଚନ ପାଇଁ ଚିନ୍ତାରେ ନବୀନ
1 min readଆଓରି-ଭୁବନେଶ୍ଵର(୧୪/୦୩) : ୨୦୧୯ ନିର୍ବାଚନ ପାଇଁ ଚିନ୍ତାରେ ନବୀନ । ଏଥର ନିର୍ବାଚନରେ ଭୟ ଘାରିଛି ବିଜେଡି ସୁପ୍ରିମୋ ନବୀନଙ୍କୁ । ଯଦିଓ ମିଡିଆ ସାମନାରେ ନବୀନ କହିଛନ୍ତି ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ମିଳିବ ଟିକେଟ କିନ୍ତୁ ଯିଏ ଜିତିବନି ସିଏ ହିଁ ଏବେ ମୁଣ୍ଡ ବିନ୍ଧାର କାରଣ । ଯେଉଁ ଅସନ୍ତୁଷ୍ଟଙ୍କ ପାଇଁ ଦିନେ ୧୯୯୫ରେ ବିଜୁ ବାବୁଙ୍କୁ କ୍ଷମତାରୁ ହଟିବାକୁ ପଡ଼ିଥିଲା । ଏଥର ନବୀନଙ୍କ ଅବସ୍ଥା ସେଭଳି ହେବାର ସମ୍ଭାବନା ଅଧିକ । ୧୯୯୫ ମସିହାରେ ବିଜୁ ବାବୁ ମଧ୍ୟ ଫୁଲ ଦମ୍ରେ ଥିଲେ । ତାଙ୍କ ଲୋକପ୍ରିୟତା ଶୀର୍ଷରେ ଥିଲା । ୧୯୯0 ମସିହାରେ ୧୨୩ ଆସନ ପାଇ ଥିବାରୁ ଜିତିବାର ପୁରା ସମ୍ଭାବନା ଥିଲା । କିନ୍ତୁ ଟିକେଟ ବଣ୍ଟନରେ ଅସନ୍ତୁଷ୍ଟ ନେତାମାନେ ନିର୍ବାଚନରେ ଖେଳ ବିଗାଡି ଦେଲେ । ଅସନ୍ତୁଷ୍ଟଙ୍କ ପାଇଁ ଜିତିବା ସିଟିରେ କଂଗ୍ରେସ ବାଜି ମାରିନେଲା । ୮୦ ଆସନ ପାଇ ୧୯୯୫ରେ କଂଗ୍ରେସ ବହୁମତ ହାସଲ କଲା ଆଉ ଜନତା ଦଳ ପାଇଲା ଜମାରୁ ୪୬ଟି ଆସନ । ବିଧାନସଭାର ହତୋତ୍ସାହିତ ଫଳ ଦେଖି ବିସ୍ମୟ ପ୍ରକାଶ କରିଥିଲେ ବିଜୁ ବାବୁ । ଆଉ ତା ପରେ ପୁଣି ଲୋକସଭାକୁ ପଳାଇଥିଲେ ବିଜୁ ବାବୁ । ସେହିଭଳି ଏଥର ବିଜେଡି ସେହିଭଳି ଦଶା ଭୋଗିବନି ତ ?
ଏବେ ନବୀନ ନିବାସରେ ଟିକେଟ ପାଇଁ ଲମ୍ବା ଲାଇନ ଲାଗୁଛି । ଅଫିସରମାନେ ଟିକେଟ କାହାକୁ ଦିଆଯିବ କାହାକୁ ଦିଆଯିବ ନାହିଁ ସ୍ଥିର କରୁଛନ୍ତି । ପ୍ରତି ଆସନରେ ୨ରୁ ଅଧିକ ଆଶାୟୀ ପ୍ରାର୍ଥୀ ଥିବାରୁ ଯେଉଁମାନେ ଟିକେଟ ନପାଇବେ ସେମାନେ ନିଶ୍ଚୟ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ପରୋକ୍ଷରେ ସୂଚାଇ ସାରିଲେଣି । କଥା ହେଉଛି ଯଦି ୪୦ ଆସନରେ ବିଜେଡିର ଅସନ୍ତୁଷ୍ଟ ପ୍ରାର୍ଥୀମାନେ ଲଢ଼ନ୍ତି ଆଉ ବିଜେଡି ଭୋଟ ବିଭାଜନ ହୁଏ ତେବେ ୨୦ ଆସନରେ ନିଶ୍ଚୟ ଏହାର ଫଳାଫଳ ବିଜେଡି ବିରୋଧରେ ଯିବ ।
ସେତେବେଳେ କଂଗ୍ରେସ ବିରୋଧୀ ଆସନରେ ଥିବା ବେଳେ ଏହି ଫାଇଦା ନେଇ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା । ଆଉ ଏବେ କଂଗ୍ରେସ ବିରୋଧି ଭୂମିକାରେ ନାହିଁ । ବିଜେପି ଏବେ ବିରୋଧି ଆସନରେ ବିଜେଡିକୁ ଟକ୍କର ଦେଉଛି । ଆଉ ଯଦି ଆଶଙ୍କା ସତ ହୁଏ ତେବେ ବିଜେଡି ଯେଉଁ କ୍ଷତି ସହିବ ତାହାର ଲାଭ ଯିବ ବିଜେପି ଖାତାକୁ । କାରଣ ୧୯୯୦ ବିଧାନସଭା ନିର୍ବାଚନରେ ଜନତା ଦଳ ୧୩୯ଟି ଆସନରେ ଲଢ଼ି ୧୨୩ଟି ଆସନରେ ବିଜୟ ହୋଇଥିଲା । ଆଉ କଂଗ୍ରେସ ଜିତିଥିଲା ମାତ୍ର ୧୦ଟି ଆସନ । ଭାରତୀୟ ଜନତା ପାର୍ଟି ୨ଟି ଆସନରେ ବିଜୟଲାଭ କରିଥିଲା ।
୧୯୯୫ ନିର୍ବାଚନରେ ଫଳ ହୋଇଥିଲା କିନ୍ତୁ ଓଲଟା । କଂଗ୍ରେସ ପାଇଥିଲା ୮୦ଟି ଆସନ ଆଉ ଜନତା ଦଳ ପାଇଥିଲା ୪୬ଟି ଆସନ । ବିଜେପି ପାଇଥିଲା ୯ଟି ଆସନ । ଯଦି ସେହି ନିର୍ବାଚନ ଗଣିତ ପୁଣି ପୁନରାବୃତି ହୁଏ ଆଉ ଅସନ୍ତୁଷ୍ଟଙ୍କ ଫ୍ୟାକ୍ଟର କାମ କରେ ତେବେ ଏଥର ବିଜେଡି ୧୯୯୫ ଭଳି ହେବ ଦଶା ଭୋଗିବ ।
ଅନ୍ୟପଟେ ଦେଶରେ ଏବେ ନରେନ୍ଦ୍ର ମୋଦିଙ୍କ ହାୱା ବହୁଥିବା ବେଳେ ଓଡ଼ିଶାରେ ମଧ୍ୟ ବିଜେପିକୁ ଫାଇଦା ହେବ ବୋଲି ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟରେ କହିସାରିଛି । ୮ ରୁ ୧୩ଟି ଲୋକସଭା ଆସନରେ ବିଜେପିକୁ ଫାଇଦା ମିଳିବ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଉଥିବା ବେଳେ ଯଦି ଏଭଳି ହୁଏ ତାହେଲେ ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଧାନସଭାରେ ମଧ୍ୟ ବିଜେପିକୁ ଫାଇଦା ମିଳିବ । ବିଧାନସଭା ଆସନ ନିଶ୍ଚୟ ବିଜେପି ଖାତାକୁ ଯିବ । ସେତେବେଳେ ବିଜୁବାବୁ ଅସନ୍ତୁଷ୍ଟଙ୍କୁ ମ୍ୟାନେଜ କରିପାରିନଥିବା ବେଳେ ଏବେ ଏହି ଅସନ୍ତୁଷ୍ଟ ନେତାଙ୍କୁ କେମିତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମ୍ୟାନେଜ୍ କରିବେ ତାହା ଦେଖିବାକୁ ବାକି ରହିଲା ।