ବାତ୍ୟା ପ୍ରଭାବିତ ଜିଲ୍ଲାରେ ପକ୍କାଘର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ
1 min read
ଆଓରି-ଭୁବନେଶ୍ଵର(୧୩/୦୫) : ଫୋନି ପ୍ରଭାବିତ ଜିଲ୍ଲାରେ ପକ୍କାଘର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ଫୋନି ଜନିତ ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିବା ସହ ପକ୍କା ଘର ପାଇଁ ତୁରନ୍ତ ସହାୟତା କରିବାକୁ ଚିଠିରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାଥମିକ ଆକଳନ ଅନୁସାରେ ୧୪ଟି ଜିଲ୍ଲାରେ ୫ ଲକ୍ଷ PMAY ଯୋଜନାରେ ପକ୍କାଘର ପାଇଁ ଅନୁରୋଧ କରିଛନ୍ତି ନବୀନ ।
ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ଫୋନି ପ୍ରଭାବରେ ୧୪ଟି ଜିଲ୍ଲାର ଅନେକ କଚ୍ଚା ଘର ଭାଙ୍ଗିଯାଇଛି । ପ୍ରଧାନମନ୍ତ୍ରୀ ନିଜେ ଗତ ୬ ତାରିଖରେ ଏସବୁ କ୍ଷୟକ୍ଷତି ଦେଖିଛନ୍ତି । ତେଣୁ ବର୍ଷା ଦିନ ଆସୁଥିବାରୁ ଏହି କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଜୁନ୍ ୧୦ ସୁଦ୍ଧା ମୌସୁମି ଆସୁଥିବାରୁ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ପକ୍କା ଘର ଯୋଗାଇବା କାର୍ଯ୍ୟ ଆରମ୍ଭ କରିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତୁରନ୍ତ ପକ୍କା ଘର ଯୋଗାଇବାକୁ କହିଛନ୍ତି ନବୀନ । ଏହା ସହ ପୂର୍ବ ନିୟମ ଅନୁସାରେ କେନ୍ଦ୍ର ରାଜ୍ୟର ୬୦:୪୦ ପ୍ରତିଶତ ଅର୍ଥ ଭାଗିଦାରକୁ ବଦଳାଇ ସ୍ୱତନ୍ତ୍ର ଭାଗିଦାର ୯୦:୧୦ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।