ବିଜେଡ଼ି ବିଧାୟକ ଦେବାଶିଷ ସମନ୍ତରାୟଙ୍କ ବିରୁଦ୍ଧରେ ମାମଲା ରୁଜୁ
1 min read
ଆଓରି-ଭୁବନେଶ୍ଵର(୨୩/୦୨) : ଶହୀଦଙ୍କ ସମ୍ପର୍କୀୟଙ୍କୁ ତଣ୍ଟିଆ ମାରିବା ଏବଂ ଗାଳି ଗୁଲଜ କରିବା ଅଭିଯୋଗରେ ବିଜେଡ଼ି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାମରେ ମାମଲା ରୁଜୁ ହୋଇଛି । ଶୁକ୍ରବାର କଟକ ନଗର ମହିଳା ମୋର୍ଚ୍ଚା ପକ୍ଷରୁ ଦେବାଶିଷଙ୍କ ଗିରଫ ଦାବି କରାଯାଇ ବାଦାମବାଡି ଥାନାରେ ତାଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲା । ଅଭିଯୋଗ କ୍ରମେ ଶନିବାର ବାଦାମବାଡି ଥାନାରେ ଦେବାଶିଷଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି । ପରେ ଏହି ମାମଲା ନିଆଳି ଥାନାକୁ ହସ୍ତାନ୍ତର କରାଯିବ ବୋଲି ବାଦାମବାଡି ଥାନା ପୁଲିସ ପକ୍ଷରୁ କୁହାଯାଇଛି । ଏନେଇ କଟକ ଡ଼ିସିପି ଅଖିଳେଶ ସିଂହ ମଧ୍ୟ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ପୁଲୱାମା ବିସ୍ଫୋରଣରେ ଓଡିଶାର ଦୁଇଜଣ ଯବାନ ଶହୀଦ ହୋଇଥିଲେ । ଶହୀଦ ଯବାନ ମନୋଜ ବେହେରାଙ୍କ ଶେଷକୃତ୍ୟ ସମୟରେ ବିଜେଡ଼ି ବିଧାୟକ ଦେବାଶିଷ ସାମନ୍ତରାୟ ଶହୀଦଙ୍କ ଦାଦାଙ୍କୁ ଧକ୍କା ଏବଂ ତଣ୍ଟିଆ ମାରିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଶ୍ରୀ ସାମନ୍ତରାୟ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।
ଭିଡିଓଟି ପାକିସ୍ତାନର ଗଣମାଧ୍ୟମରେ ପ୍ରସାରିତ ହେବ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଘଟଣାକୁ ରାଜ୍ୟବ୍ୟାପୀ ନିନ୍ଦା ମଧ୍ୟ କରାଯାଇଛି । ବିରୋଧୀ ଦଳ ପକ୍ଷରୁ କଡା ସମାଲୋଚନା କରାଯିବ ସହିତ ବିଧାୟକ ଦେବାଶିଷଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି ।