March 21, 2023

ବଢିଲା ବସ୍ ଭଡା ; ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି

1 min read

ଆଓରି-ଭୁବନେଶ୍ଵର(୧୧/୦୭) : ପୁଣି ବସ୍‌ ଭଡ଼ା ବଢ଼ିଲା। ଡିଜେଲ ଦର ବୃଦ୍ଧି ଯୋଗୁ ରାଜ୍ୟ ସରକାର ଏହି ବସ୍‌ ଭଡ଼ା ବୃଦ୍ଧି କରିଥିବା କୁହାଯାଉଛି। ଡିଜେଲ ଦର ବୃଦ୍ଧି ପାଇବାରୁ ସ୍ଵୟଂକ୍ରିୟ ବ୍ୟବସ୍ଥା ଅନୁଯାୟୀ ଭଡ଼ା ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପ୍ରତି ୧ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୨ ପଇସା ବୃଦ୍ଧି ହୋଇଛି। ପୂର୍ବରୁ ସାଧାରଣ ବସ୍‌ ଭଡ଼ା ପ୍ରତି କିମି ପିଛା ୬୮ ପଇସା ଥିବା ବେଳେ ଏବେ ତାହା ୬୯ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପିଛା ୭୧ ପଇସାରୁ ୭୨ ପଇସାକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୯୭ ପଇସାରୁ ୯୯ ପଇସା ଏସି ଡିଲକ୍ସ ବସ୍‌ର କିମି ପିଛି ୧ଟଙ୍କା ୧୯ ପଇସାରୁ ୨ ପଇସା ହିସାବରେ ୧ ଟଙ୍କା ୨୧ ପଇସାକୁ ବୃଦ୍ଧି ହୋଇଛି।

ବସ୍‌ ଭଡ଼ା ବୃଦ୍ଧି ପାଉଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ବସ୍‌ ଭଡ଼ା ବଢ଼ାଇବା ଦ୍ୱାରା ଯାତ୍ରୀଙ୍କ ଉପରେ ବୋଝ ପଡ଼ୁଛି। ଡିଜେଲ ଦର ବଢ଼ୁଥିବାରୁ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ଅନ୍ୟପକ୍ଷରେ ବସ୍‌ ଭଡ଼ା ବୃଦ୍ଧି କରିବାକୁ ଇଚ୍ଛା ନ ଥିଲେ ମଧ୍ୟ ତୈଳ ବୃଦ୍ଧି ଯୋଗୁ ବାଧ୍ୟ ହୋଇ ଭଡ଼ା ବଢ଼ାଯାଉଛି ବୋଲିି ଓଡ଼ିଶା ରାଜ୍ୟ ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି। କେବଳ ଡିଜେଲ ନୁହେଁ ଗାଡିର ଅନ୍ୟାନ୍ୟ ଯନ୍ତ୍ରାଂଶ ଓ ଆନୁଷଙ୍ଗିକ ଖର୍ଚ୍ଚ ବଢ଼ୁଥିବାରୁ ବସ୍‌ ଚଳାଇବ କଷ୍ଟ ସାଧ୍ୟ ହୋଇପଡ଼ୁଛି। ଯାତ୍ରୀଙ୍କ ଉପରେ ଭଡ଼ା ବୋଝ ପଡ଼ୁଥିବାରୁ ସରକାର ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.