ବିଜେପୁର ପ୍ରାର୍ଥୀ ଘୋଷଣା ; ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କଲା ବିଜେପି
1 min read
ଆଓରି-ଭୁବନେଶ୍ଵର(୨୯/୦୯) : ବିଜେପିର ବିଜେପୁର ପ୍ରାର୍ଥୀ ଘୋଷଣା । ବିଜେପୁର ଉପନିର୍ବାଚନ ପାଇଁ ପୁଣିଥରେ ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଛି ବିଜେପି । ୨୦୧୯ସାଧାରଣ ନିର୍ବାଚନରେ ସନତ ଗଡ଼ତିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଟକ୍କର ଦେଇଥିଲେ । ନିଜର ସଂଗଠନ ମଜଭୁତ କରିଥିବା ସନତଙ୍କୁ ପୁଣିଥରେ ଦଳ ଭରସା କରିଛି ।
ଏଥର ନିର୍ବାଚନରେ ସନତ ଗଡ଼ତିଆ ବିଜେପୁରରୁ ୫୩,୪୮୨ ଭୋଟ୍ ସହ ନବୀନ ପଟ୍ଟନାୟକଙ୍କୁ କଡ଼ା ଟକ୍କର ଦେଇ ଦ୍ୱିତୀୟ ସ୍ଥାନରେ ଥିଲେ । ଏହାସହ ନବୀନ ପଟ୍ଟନାୟକ ବିଜେପୁରରୁ ବିଜୟୀ ହୋଇଥିଲେ । ତେବେ ନବୀନ ପଟ୍ଟନାୟକ ବିଜେପୁରରୁ ଇସ୍ତଫା ଦେବା ପରେ ପୁଣି ବିଜେପୁର ପାଇଁ ଆସିଛି ଉପନିର୍ବାଚନ ପର୍ବ ।
୨୦୧୮ରେ କଂଗ୍ରେସ ନେତା ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିବା ସହ ବିଜୟୀ ହୋଇଥିଲା । ପରେ ୨୦୧୯ସାଧାରଣ ନିର୍ବାଚନରେ ଖୋଦ ମୁଖ୍ୟମନ୍ତ୍ରୀ ବିଜେପୁରରୁ ପ୍ରାର୍ଥୀ ହୋଇ ଜିତିଥିଲେ । ହିଞ୍ଜିଳି ଏବଂ ବିଜେପୁରରୁ ବିଜୟ ଲାଭ କରିଥିବା ନବୀନ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ । ତେବେ ବିଜେପୁର ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ସେପ୍ଟେମ୍ବର ୩୦ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ଉପନିର୍ବାଚନ ପାଇଁ ଅକ୍ଟୋବର ୨୧ରେ ଭୋଟ ପଡ଼ିବ ।
ଏହାପୂର୍ବରୁ ବିଜେଡି ଏବଂ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡି ପୁଣିଥରେ ଉପନିର୍ବାଚନରେ ରୀତା ସାହୁଙ୍କ ଉପରେ ଭରସା କରିଥିବା ବେଳେ କଂଗ୍ରେସ ଦିଲ୍ଲୀପ କୁମାର ପଣ୍ଡାଙ୍କ ନାଁରେ ମୋହର ମାରିଛି ।