March 25, 2023

ପିଟ୍ରୋଡାଙ୍କ ବିବାଦୀୟ ବୟାନ ପାଇଁ ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ଦାବି କଲେ ଅମିତ ଶାହ

1 min read

ଆଓରି-ନୂଆଦିଲ୍ଲୀ(୨୩/୦୩) : ଓଭରସିଜ କଂଗ୍ରେସ ମୁଖ୍ୟ ସ୍ୟାମ ପିଟ୍ରୋଡା ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇଥିଲା । ଏହାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିନ୍ଦା କରିଛନ୍ତି । ଏନେଇ ସେମଙ୍କ ତରଫରୁ ରାହୁଲ ଗାନ୍ଧି ଦେଶର ଜନତା, ସହିଦଙ୍କ ପରିବାର ଓ ସେନାଙ୍କୁ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ ଏଭଳି ହୀନ କାମ କରୁଥିବା କହିଛନ୍ତି ଶାହ ।

ଆଗକୁ ସାଧାରଣ ନିର୍ବାଚନ ଅଛି । ଆଉ ଏବେ ଦେଶର ସୁରକ୍ଷା ବଡ ପ୍ରସଙ୍ଗ ପାଲଟିଛି । ଆଉ ଏହି ସମୟରେ ସ୍ୟାମଙ୍କ ବୟାନ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ, ପୁଲୱାମା ପରି ଆକ୍ରମଣ କଣ ଏକ ସାମାନ୍ୟ ଘଟଣା ?

ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ପ୍ରଥମେ ସ୍ପଷ୍ଟ କରନ୍ତୁ ଯେ, ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା କଥାକୁ ସେ ଗ୍ରହଣ କରୁଛନ୍ତି କି ନାହିଁ । ଯଦି ସମ୍ପର୍କ ଅଛି ତେବେ ଦୋଷୀ କିଏ ? ସେହିପରି ସ୍ୟାମ କହିଥିଲେ ଯେ, ଆତଙ୍କବାଦୀ ଆକ୍ରମଣର ଜବାବ ସର୍ଜିକାଲ ଷ୍ଟ୍ରାଇକ୍ ନୁହେଁ, ଆଲୋଚନା ଦ୍ୱାରା ହେବା ଉଚିତ । ଶାହ ଏହାକୁ ନିନ୍ଦା କରିବା ସହ କହିଛନ୍ତି ଯେ, ଆତଙ୍କବାଦୀଙ୍କ ସହ ଆଲୋଚନା କରିବା କଣ କଂଗ୍ରେସର ନୀତି? ଦେଶରେ ଯଦି କୌଣସି ଆକ୍ରମଣ ହେଉଛି, ଏହାଦ୍ୱାରା ସାଧାରଣ ନାଗରିକଙ୍କୁ କ୍ଷତି ପହଞ୍ଚୁଛି । ଦେଶର ଯବାନ ସହିଦ ହେଉଛନ୍ତି । ଆଉ ଏଭଳି ସମୟରେ କଂଗ୍ରେସ ଅଧିକାରୀମାନେ ଆଲୋଚନାର କଥା କହୁଛନ୍ତି ! ଭାରତୀୟ ବାୟୁସେନା ଉପରେ ସନ୍ଦେହ କରିବା କୌଣସି ଜାତୀୟ ଦଳର ଅଧ୍ୟକ୍ଷଙ୍କୁ ଶୋଭା ପାଉନି ବୋଲି ଶାହ କହିଥିଲେ ।

ସୂଚନାଯୋଗ୍ୟ, ଏଏନଆଇକୁ ଏକ ସାକ୍ଷାତକାର ଦେଇ ସେ କହିଥିଲେ ଯେ ଏପରି ଆକ୍ରମଣ ବେଳେ ବେଳେ ହୋଇଥାଏ । ଆକ୍ରମଣ ମୁମ୍ବାଇରେ ବି ହୋଇଥିଲା । କିନ୍ତୁ ଏହାକୁ ବାହାନା କରି ଏକ ଦେଶ ଉପରେ ଆକ୍ରମଣ କରିଦେବା ଠିକ ନୁହେଁ । ଏକ ଦେଶରୁ କିଛି ଲୋକ ଆମ ଦେଶକୁ ଆସି ଏକ ଆତଙ୍କବାଦୀ ଆକ୍ରମଣ କରିବା ଅର୍ଥ ନୁହେଁ, ଉକ୍ତ ଦେଶ ହିଁ ଦାୟୀ । ମୁମ୍ବାଇ ଆକ୍ରମଣ ପରେ ଆମେ ଚାହିଁଥିଲେ ବିମାନ ନେଇ ପାକିସ୍ତାନ ଉପରେ ଆକ୍ରମଣ କରିଦେଇଥାନ୍ତୁ । କିନ୍ତୁ ତାହା ଉଚିତ ପନ୍ଥା ନୁହେଁ । ଅଳ୍ପ କେତେଜଣ ଆତଙ୍କବାଦୀଙ୍କ ପାଇଁ ସମଗ୍ର ପାକିସ୍ତାନକୁ ଦାୟୀ କରାଯିବା ଠିକ ନୁହେଁ ବୋଲି ସେ କହିଛନ୍ତି । ସେ ମଧ୍ୟ ବାଲାକୋଟ ଆକ୍ରମଣରେ କେତେ ଲୋକ ମରିଛନ୍ତି ତାହାର ପ୍ରମାଣ ଭାରତ ସରକାରଙ୍କୁ ମାଗିଥିଲେ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.