ଅଜୟ ଭାରତ, ଅଟଳ ବିଜେପି ସ୍ଲୋଗାନ୍ ନେଇ କାର୍ଯ୍ୟ କରିବେ ବିଜେପି ନେତା
1 min readଆଓରି-ନୂଆଦିଲ୍ଲୀ(୧୦/୯) : ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ନେତାମାନେ ‘ଅଜୟ ଭାରତ, ଅଟଳ ବିଜେପି’ ସ୍ଲୋଗାନ୍ ନେଇ କାର୍ଯ୍ୟ କରିବେ। ଏହି ସ୍ଲୋଗାନ୍ ବଳରେ ଦଳ ପୁଣି ଶାସନ କ୍ଷମତା ହାତକୁ ନେବ। ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ତଥା ଅନ୍ତିମ ଦିନରେ ଆଜି ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକାରିଣୀ ବୈଠକରେ ଆଜି ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍ କରାଯାଇଛି। ୨୦୧୯ ସାଧାରଣ ନିର୍ବାଚନରେ ତୀବ୍ର ପ୍ରତିଯୋଗିତାର ସାମ୍ନା କରିବାକୁ ବିରୋଧୀ ଦଳଗୁଡ଼ିକର କୌଣସି କ୍ଷମତା ନାହିଁ। ସେମାନେ କେବଳ ବାହାସ୍ଫୋଟ ମାରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ସେମାନଙ୍କର ନେତା ନାହାନ୍ତି କିମ୍ବା କୌଣସି ଠୋସ୍ ନୀତି ସେମାନେ ଅବଲମ୍ବନ କରୁନାହାନ୍ତି। ବିଜେପିର ଛାମୁଆ ନେତାମାନେ ଆଜି ବିରୋଧୀଙ୍କୁ ଭର୍ତ୍ସନା କରି ଏହା କହିଛନ୍ତି। ବୈଠକର ଉଦ୍ଯାପନୀ ସଭାରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ବିରୋଧୀ ମହାମେଣ୍ଟର ନେତୃତ୍ୱ ବାବଦରେ କିଛି ବି ସ୍ପଷ୍ଟ ନାହିଁ। ତା’ଛଡ଼ା ସେମାନଙ୍କର ନୀତି ମଧ୍ୟ ଅସ୍ପଷ୍ଟ ରହିଥିବା ବେଳେ ଉଦ୍ଦେଶ୍ୟ ଭ୍ରଷ୍ଟ ଜଣାପଡୁଛି। ବିରୋଧୀ କଂଗ୍ରେସକୁ ତୀବ୍ର ସମାଲୋଚନା କରି ସେ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପାଇଁ କୌଣସି ଦିଗରୁ ଆହ୍ଵାନ ନାହିଁ। ତେଣୁ ଦଳର ବିଜୟ ନିଶ୍ଚିତ। ଗଣତନ୍ତ୍ରରେ ବିରୋଧୀ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। କାରଣ ସେମାନେ ସରକାରଙ୍କୁ ବିଭିନ୍ନ ଜବାବ ମାଗିଥାନ୍ତି। କିନ୍ତୁ ଠିକ୍ରେ ସରକାର ଚଳାଇ ପାରିନଥିବା ଲୋକ କିଭଳି ବିରୋଧୀ ଭୂମିକା ନିର୍ବାହ କରିବ ବୋଲି ମୋଦୀ ପ୍ରଶ୍ନ କରିଛନ୍ତି।
ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶାରେ ଦଳୀୟ ସ୍ଥିତି ସମୀକ୍ଷା କରାଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଏଥିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନରେ ୧୨୦ରୁ ଅଧିକ ଏବଂ ଲୋକସଭା ନିର୍ବାଚନରେ ୧୬ରୁ ଊର୍ଦ୍ଧ୍ୱ ଆସନ ଲକ୍ଷ୍ୟ ପୂରଣ ହେବ ବୋଲି ଶାହ ଆଶାପ୍ରକାଶ କରିଥିବା ବିଜେପିର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ କହିଛନ୍ତି। ମୋଦୀ ସରକାରଙ୍କ ବିଭିନ୍ନ ଯୋଜନାର ଫାଇଦା ଲୋକଙ୍କ ନିକଟରେ କିଭଳି ପହଞ୍ଚିବ ଏବଂ ପ୍ରଚାର ଓ ପ୍ରସାର ହୋଇପାରିବ, ସେ ନେଇ ଦଳ ଦ୍ୱାରା ଓଡ଼ିଶାରେ ବ୍ୟାପକ ରଣନୀତି ଅନ୍ତର୍ଗତ କାର୍ଯ୍ୟକ୍ରମ ବୁଥ୍ ସ୍ତରରୁ ଚାଲିଛି ବୋଲି ରାଜ୍ୟର ନେତାମାନେ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ। କେନ୍ଦ୍ର ନେତୃତ୍ୱ ଦେଇଥିବା ଟାର୍ଗେଟ୍ ଆଧାରରେ ରାଜ୍ୟରେ କାର୍ଯ୍ୟକ୍ରମ ଚାଲିଛି ବୋଲି ନେତାମାନେ କହିଥିଲେ। ବୈଠକରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ଙ୍କ ସମେତ ବିଧାୟକ କେ ଭି ସିଂହଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଗିରିଧର ଗମାଙ୍ଗ, ମାନସ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।