ପାଇକ ବିଦ୍ରୋହର ସ୍କାରକୀକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଶ୍ୱ ଭୂଷଣ ହରିଚନ୍ଦନ
1 min readଆଓରି-ଭୁବନେଶ୍ଵର(୧୦/୧୨) : ପାଇକ ବିଦ୍ରୋହର ସ୍କାରକୀକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି ରାଜ୍ୟ ବିଜେପି ବରିଷ୍ଠ ନେତା ବିଶ୍ୱ ଭୂଷଣ ହରିଚନ୍ଦନ । ସେ କହିଛନ୍ତି ଯଦି ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର ଜାଗା ନଦିଅନ୍ତି ତେବେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ । ଏନେଇ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ବିଶ୍ୱଭୁଷଣ । ଯଦି ମାଟିର ବୀରମାନଙ୍କ ସ୍ମାରକୀ ପାଇଁ ରାଜ୍ୟ ସରକାର ଜାଗା ଦେଇପାରୁ ନାହାନ୍ତି ତେବେ ତାଙ୍କର ନିଜ ମାଟି ପ୍ରତି ଆନ୍ତରିକତା ନାହିଁ ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି । ଓଡ଼ିଆ ବୀରତ୍ୱ ଇତିହାସ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଇଁ କେନ୍ଦ୍ର ସରକାର ସହଯୋଗର ହାତ ବଢାଇଥିବା ବେଳେ ରାଜ୍ୟ ସରକାର ଚୁପ୍ ହୋଇ ବସିଛନ୍ତି ।
ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦର ଅଧ୍ୟକ୍ଷ ଶ୍ରୀ ହରିଚନ୍ଦନ କହିଥିଲେ ପାଇକ ବିଦ୍ରୋହ ହେଉଛି ଆମ ଦେଶରେ ବ୍ରିଟିଶ ସରକାର ବିରୋଧରେ ପ୍ରଥମ ସଶସ୍ତ୍ର ସଂଗ୍ରାମ । ଏହାର ସ୍ମୃତିରେ କେନ୍ଦ୍ର ସରକାର ଏକ ସ୍ମାରକୀ ନିର୍ମାଣ ପାଇଁ ଅର୍ଥ ମଂଜୁର କରିଛନ୍ତି । ଏହା ନିର୍ମାଣ ହେଲେ ଓଡିଆ ଜାତିର ବୀରତ୍ୱର ଗାଥା ସାରା ବିଶ୍ୱ ଦେଖିପାରନ୍ତା । ହେଲେ ରାଜ୍ୟ ସରକାର ଏଥିପାଇଁ ଆବଶ୍ୟକ ହେଉଥିବା ଜମି ଯୋଗାଇ ଦେଉନାହାନ୍ତି । ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦର ଆବାହକତ୍ୱରେ ଏକ ପାଇକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ବିଷୟରେ ଦାବି ଜଣାଇବା ପାଇଁ ଚାହୁଁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏଥିପାଇଁ ସମୟ ଦେଉନାହାନ୍ତି । ଏହି ପ୍ରସଙ୍ଗରେ ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ବିଶ୍ୱଭୂଷଣ ନିବେଦନ କରିଛନ୍ତି ।
ତେବେ ବିଶ୍ୱଭୂଷଣ ଗତକାଲି(ରବିବାର) ରାଜ୍ୟପାଳଙ୍କୁ ଭେଟି ଏଥିରେ ହସ୍ତକ୍ଷେପ କରିବା ପାଇଁ ନିବେଦନ କରିଛନ୍ତି । ସୋମବାର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ସର୍ମାଙ୍କୁ ଭେଟି ବିଶ୍ୱଭୂଷଣ ଏହି ଅଭିଯୋଗ କରିଛନ୍ତି । ବିଭିନ୍ନ ସଂଗଠନ ସହ ସାକ୍ଷାତ କରିବା ସମୟରେ ପାଇକ ସ୍ମାରକୀ ନେଇ ରାଜ୍ୟ ସରକାର ଜାଗା ଦେଉ ନ ଥିବା ସେ ଅଭିଯୋଗ ଆଣିଥିଲେ । ଯାହାଫଳରେ କେନ୍ଦ୍ର ସରକାର ମଂଜୁରି କରିଥିବା ସତ୍ତ୍ୱେ ପ୍ରକଳ୍ପ କାମ ଆଗେଇ ପାରୁନାହିଁ । ତେଣୁ ଏଥିପାଇଁ କୌଣସି ପଦକ୍ଷେପ ନେବାକୁ ବିଶ୍ୱଭୂଷଣ କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।