ବିଜେଡ଼ି ନେତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ମହିଳା କମିଶନ ସଦସ୍ୟା ତିଳୋତ୍ତମା ନାୟକ
1 min read
ଆଓରି-ଭୁବନେଶ୍ଵର(୨୫/୦୨) : ପୁଣି ପଦାରେ ପଡିଲା ବିଜେଡି ନେତାଙ୍କ କାରନାମା । ମହିଳାଙ୍କ ସମ୍ମାନ ଓ ସଂରକ୍ଷଣ ପାଇଁ ଦଳର ମୁଖିଆ ଡେଙ୍ଗୁରା ପିଟୁଥିବା ବେଳେ ଦଳର ନେତା କିନ୍ତୁ ଏହାକୁ ମାନୁନାହାନ୍ତି । ରାଜ୍ୟର ମହିଳାମାନଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ ଥିବା ମହିଳା କମିସନର ସଦସ୍ୟାଙ୍କୁ ବିଜେଡି ନେତାଙ୍କ ନାଲି ଆଖି । ଖୋଦ୍ ମହିଳା କମିସନ ସଦସ୍ୟାଙ୍କୁ ଦୁର୍ବ୍ୟବହାର କରି ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଦାସ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ମହିଳା କମିସନ ସଦସ୍ୟା ତଥା କଳାହାଣ୍ଡି ଜିଲ୍ଲାର ବିଜେଡ଼ି ନେତ୍ରୀ ତିଳୋତ୍ତମା ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏସମ୍ପର୍କରେ ଅବଗତ କରାଇବା ପାଇଁ ସେ ନବୀନ ନିବାସ ଯାଇଥିଲେ ମାତ୍ର ମୁଖ୍ୟମନ୍ତ୍ରୀ ନଥିବାରୁ ସାକ୍ଷାତ ହୋଇପାରିନଥିଲା ।
ସୂଚନାଯୋଗ୍ୟ, ରାଜ୍ୟ ମହିଳା କମିସନ ସଦସ୍ୟା ତିଳୋତ୍ତମା ନାୟକ ନିକଟରେ ପ୍ରଣବ ପ୍ରକାଶ ଦାସ (ବବି) ଟିକେଟ୍ ଦେଉଥିବା ଜାଣି ତାଙ୍କ ଘରକୁ ଯାଇଥିଲେ । ମାତ୍ର ସେଠାରେ ତାଙ୍କ ପରି ଯାଇଥିବା କିଛି ମହିଳାଙ୍କୁ ବବି ଦାସ ଗାଳି ଦେଉଥିଲେ । ତେଣୁ ମହିଳା କମିସନ ସଦସ୍ୟ ଭାବେ ସେ ଏହାର ପ୍ରତିବାଦ କରିଥିଲେ । ଏହାପରେ ବବି ରାଗିଯାଇ ତାଙ୍କୁ ମଧ୍ୟ ଗାଳି ଦେଇଥିବା ଅଭିଯୋଗ ଆଣିଛନ୍ତି ତିଳୋତ୍ତମା ନାୟକ ।
ତେବେ ତିଳୋତମାଙ୍କ ବବିଙ୍କ ଉପରେ ଆକ୍ରମଣର କୋଲାଟେରାଲ ଡ୍ୟାମେଜର ଶିକାର ଜଣେ ସାର ହୋଇଛନ୍ତି । ତିଳୋତ୍ତମା କ୍ୟାମେରା ଆଗରେ ଯାହା ସବୁ କହିଛନ୍ତି ସେଥିରୁ ଜଣା ପଡୁଛି ଯେ, ଏହି ସାରଙ୍କ ଯୋଗୁ ଦଳ ଭିତରେ ଅସନ୍ତୋଷ କୁହୁଳୁଛି ।
ତିଳୋତମା ଯେଉଁ ସାରଙ୍କ କଥା କହୁଛନ୍ତି ସେହି ସାରଙ୍କ ନାଁ ବି ସେ କ୍ୟାମେରା ଆଗରେ ନେଇଛନ୍ତି । ସିଏ ହେଉଛନ୍ତି ପାଣ୍ଡିଆନ୍ ସାର । ତିଳୋତ୍ତମାଙ୍କ ଅନୁସାରେ ବିଜେଡିରେ ଟିକେଟ୍ କାହାକୁ ମିଳିବ ସେ କଥା ପାଣ୍ଡିଆନ୍ ସାର ବୁଝୁଛନ୍ତି । ପାଣ୍ଡିଆନ୍ ସାରଙ୍କୁ ଏଥିରେ ସାହାଯ୍ୟ କରୁଛନ୍ତି ବବି ଦାଶ । ବବି ଦାଶ ଓଡ଼ିଶା ସାରା କେଉଁଠି କାହାକୁ ଟିକେଟ୍ ମିଳିବ ସେ କଥା ନିଷ୍ପତି ନେଉଛନ୍ତି ।
ତିଳୋତ୍ତମା ଯାହା କହୁଛନ୍ତି ତାହା ଅନୁସାରେ ବିଜେଡିକୁ ହେଲିକପ୍ଟରରେ ଉଡୁଥିବା ବ୍ୟକ୍ତି ନିୟନ୍ତ୍ରଣ କରୁଛନ୍ତି । ତୃଣମୁଳ ସ୍ତରରେ ଥିବା ନେତାଙ୍କୁ ଗୁରୁତ୍ୱ ଦିଆଯାଉନି । ପାଣ୍ଡିଆନ ଆଣ୍ଡ୍ କୋ ସମ୍ପୂର୍ଣ୍ଣ ଭାବେ ବିଜେଡିକୁ ନିଜ ନିୟନ୍ତ୍ରଣକୁ ନେଇସାରିଛନ୍ତି । କର୍ମୀଙ୍କ ସହ ରାଜା ରାଜୁଡାଙ୍କ ଭଳି ବ୍ୟବହାର କରାଯାଉଛି ।
ବିଜେଡିରେ ୨୫ ବର୍ଷ ଧରି ଥିବା ତିଳୋତମାଙ୍କ ଏହି ଅଭିଯୋଗ ନିଶ୍ଚିତ ଭାବେ ଦଳ ଭିତରେ ଥିବା ଅସନ୍ତୋଷ କଥା କହୁଛି । ଯାହା ବାବଦରେ ସମସ୍ତେ ଜାଣି ମଧ୍ୟ ଟିକେଟ୍ କଟିବା ଡରରେ ଚୁପ ଅଛନ୍ତି । ତିଳୋତ୍ତମା କିନ୍ତୁ ସେଇ ଭାନୁମତି ପେଡିକୁ ଖୋଲି ଦେଇଛନ୍ତି । ଆଗକୁ ତାଙ୍କୁ ଆଉ କେତେ ଜଣ ଅନୁସରଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଏହା ସହ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ କଣ ପଦକ୍ଷେପ ନେଉଛନ୍ତି ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ । କାରଣ ଅଭିଯୋଗ ଘେରରେ ଅଛନ୍ତି ଜଣେ ଖାସ୍ ବିଧାୟକ ଓ ଅଭିଯୋଗକାରୀ ହେଉଛନ୍ତି ମହିଳା କମିଶନ ସଦସ୍ୟା ।