March 25, 2023

ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ଅଯୋଧ୍ୟା ରାୟ : ସବୁ ରାଜ୍ୟଙ୍କୁ ସତର୍କ ସୂଚନା

1 min read
Ayodhya-Ram-Mandir-Aajira-Odisha

ଆଓରି-ନୂଆଦିଲ୍ଲୀ(୦୮/୧୧) : ବହୁ ପ୍ରତୀକ୍ଷିତ ତଥା ସମ୍ବେଦଶୀଳ ଅଯୋଧ୍ୟା ମାମଲାର ଚୂଡାନ୍ତ ରାୟ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ପ୍ରକାଶ କରିବାର ସମ୍ଭାବନା ରହିଛି। ହିନ୍ଦୁ ଓ ମୁସଲମାନଙ୍କ ଧାର୍ମିକ ଭାବାବେଗ ସହିତ ଜଡିତ ଏହି ରାୟକୁ ନେଇ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ସତର୍କ ରହିବାକୁ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଗୁରୁବାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛି। ଅଯୋଧ୍ୟା ରାୟକୁ ନେଇ ଯେପରି କୌଣସି ପ୍ରକାର ସାମ୍ପ୍ରଦାୟିକ ହିଂସା କିମ୍ବା ଉତ୍ତେଜନା ସୃଷ୍ଟି ନ ହୁଏ ସେଥିପ୍ରତି ସତର୍କ ରହିବାକୁ କୁହାଯାଇଛି। ଏହା ସହିତ ସମ୍ବେଦନଶୀଳ ସ୍ଥାନଗୁଡିକରେ ସୁରକ୍ଷା ବ୍ୟବସ୍ଥା କରିବାକୁ ସୂଚନାରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ରେଳ ସୁରକ୍ଷା ବାହିନୀ (ଆର୍‌ପିଏଫ୍‌) ପକ୍ଷରୁ ଅଯୋଧ୍ୟା ରାୟ ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସମସ୍ତ କର୍ମଚାରୀଙ୍କର ଛୁଟି ବାତିଲ କରାଯିବା ସହ ୫୬ଟି ଷ୍ଟେସନର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଟ୍ରେନ୍‌କୁ ଏହାର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ସହ ପ୍ଲାଟଫର୍ମ, ଷ୍ଟେସନ, ରେଳଡବା ତିଆରି କାରଖାନା ଆଦି ସ୍ଥାନଗୁଡ଼ିକରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ଅଯୋଧ୍ୟା ରାୟକୁ ନେଇ ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ସର୍ବାଧିକ ଆଶଙ୍କା ଥିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି। ଉତ୍ତରପ୍ରଦେଶର ଅଧିକାଂଶ ସହରରେ ୧୪୪ ଧାରା ଲାଗୁକରାଯାଇଛି। ପୁଲିସ ଅଧିକାରୀମାନେ ବୈଠକ ପରେ ବୈଠକ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ମଧ୍ୟ ସୁରକ୍ଷା ବାହିନୀର କଡ଼ା ପହରା ରହିଛି। ମିରଟ, ଅଲ୍ଲୀଗଡ଼, ଆଗ୍ରା, ରାମପୁର, ବରେଲୀ, ଫିରୋଜାବାଦ, କାନପୁର, ଲକ୍ଷ୍ନୌ, ସାହରଣପୁର, ଶାମଲି, ମୁଜାଫରନଗର, ବୁଲନ୍ଦସହର ଏବଂ ଆଜମଗଡ଼ ଭଳି ୩୪ଟି ସମ୍ବେଦନଶୀଳ ସହରର ପୁଲିସ ମୁଖ୍ୟମାନଙ୍କୁ ସତର୍କ କରାଯାଇଛି। କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଯୋଗାଯୋଗ କରି ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତିର ତଦାରଖ କରୁଛନ୍ତି। ରାଜ୍ୟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ବନ୍ଧରେ ଗୁଇନ୍ଦା ବିଭାଗର ସୂଚନାକୁ ଆଧାର କରି ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା

ନିମନ୍ତେ ଗତ ସପ୍ତାହରେ ସ୍ବରାଷ୍ଟ୍ର ସଚିବ ଅଜୟ କୁମାର ଭଲ୍ଲାଙ୍କ ନିର୍ଦେଶନାମାର ଏକ ସର୍କୁଲାର ଜାରି କରାଯାଇଛି। କେନ୍ଦ୍ର ପକ୍ଷରୁ ଅତିରିକ୍ତ ୪୦୦୦ ପ୍ଲାଟୁନ ଅର୍ଦ୍ଧସାମରିକ ବାହିନୀ ରାଜ୍ୟକୁ ପଠାଯାଇଛି। ରାୟ ପ୍ରକାଶ ପୂର୍ବରୁ ସମ୍ବେଦନଶୀଳ ଜିଲା ଆମ୍ବେଦକର ନଗରରେ ୮ଟି ଅସ୍ଥାୟୀ କାରାଗାର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଅନୁମତି ଲୋଡିଛନ୍ତି। ରାଜ୍ୟରେ ଅଯୋଧ୍ୟା ସମ୍ବନ୍ଧୀୟ ଯେକୌଣସି କାର୍ଯ୍ୟକ୍ରମର ଆୟୋଜନ ଉପରେ କଟକଣା ଲାଗୁ କରାଯାଇଛି। ୧୯୯୨ ଡିସେମ୍ବର​ରେ ବାବ୍ରି ମସଜିଦ ଭଙ୍ଗ ପରେପରେ ମୁମ୍ବଇରେ ଦଙ୍ଗା ହୋଇଥିବାରୁ ଏଠା‌େ‌ରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯିବା ସହିତ ସାମାଜିକ ଗଣମାଧ୍ୟମ ଉପରେ କଡ଼ା ଦୃଷ୍ଟି ରଖାଯାଇଛି।

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରାୟ ଯାହା ବି ହେଉ ନା କାହିଁକି, ଶାନ୍ତି ଏବଂ ସୌହାର୍ଦ୍ଦ୍ୟରେ ବିଶ୍ଵାସ ରଖୁଥିବା ଭାରତର ଯେକୌଣସି ଧର୍ମର ଲୋକ କୌଣସି ପ୍ରକାରର ଦଙ୍ଗାଫସାଦ କରିବେ ନାହିଁ ବୋଲି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସଏସ) ନେତା ଇ​ନ୍ଦ୍ରେଶ କୁମାର ଆଶ୍ଵାସନା ଦେଇଛନ୍ତି। ରାୟକୁ ନେଇ ଶାନ୍ତି ରକ୍ଷା କରିବାକୁ ସଂଗଠନ ପକ୍ଷରୁ ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଏଥିକ୍ରମେ ମୁସଲମାନ ଧର୍ମଗୁରୁମାନଙ୍କ ସହିତ ଆଲୋଚନା ଜାରି ରହିଛି। ଅଯୋଧ୍ୟା ରାୟକୁ ନେଇ କୌଣସି ପ୍ରକାରର ଉତ୍ତେଜନା ସୃଷ୍ଟିକାରୀ ବୟାନ ନ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ରାୟକୁ ନେଇ ଦେଶ‌େ‌ରେ ଶାନ୍ତି କାଏମ ରଖିବା ନିମନ୍ତେ ମୋଦୀ ନିବେଦନ କରିଛନ୍ତି।

ରାୟ ପ୍ରକାଶ ବେଳେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଉପସ୍ଥିତ ରହିବାକୁ ସାଂସଦ ଓ ମନ୍ତ୍ରୀମାନଙ୍କୁ କୁହାଯାଇଛି। ଅଯୋଧ୍ୟା ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ନିମନ୍ତେ କଂଗ୍ରେସ ପକ୍ଷରୁ ରବିବାର ଏହାର କାର୍ଯ୍ୟକାରିଣୀ ବୈଠକ ଡକାଯାଇଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ନଭେମ୍ବର ୧୭ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳର ଆଉ ମାତ୍ର ୫ ଟି କାର୍ଯ୍ୟଦିବସ ବାକି ଥିବା ବେଳେ ଏହା ମଧ୍ୟରୁ ଯେକୌଣସି ଦିନ ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି। ସମସ୍ତ ଜରୁରୀ ମାମଲାକୁ ଜଷ୍ଟିସ ଏସ.ଏ. ବୋବଡେଙ୍କ କୋର୍ଟ ନମ୍ବର ୨ରେ ଉପସ୍ଥାପନ କରିବା ଲାଗି ପ୍ରଧାନ ବିଚାରପତି ଗୋଗଇ ଗୁରୁବାର ଓକିଲମାନଙ୍କୁ ନିର୍ଦେଶ ଦେଇଛନ୍ତି। ଜଷ୍ଟିସ ଗୋଗଇଙ୍କ ଅବସର ପରେ ଜଷ୍ଟିସ ବୋବଡେ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.