ଅରୁଣ ଜେଟଲୀଙ୍କର ଶେଷକୃତ୍ୟ ସମ୍ପନ୍ନ
1 min read
ଆଓରି-ନୂଆଦିଲ୍ଲୀ(୨୫/୦୮) : ୧୬ ଦିନ ଧରି ଜୀବନ ସହ ସଂଗ୍ରାମ କରି ହାରିଯିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଶେଷରେ ପଞ୍ଚଭୂତରେ ଲୀନ ହୋଇଛନ୍ତି। ରବିବାର ନୂଆଦିଲ୍ଲୀର ଯମୁନା ନଦୀ କୂଳରେ ଥିବା ନିଗମବୋଧ ଘାଟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ସହିତ ଏହି ମହାନ ରାଜନେତା ଦେଶବାସୀଙ୍କଠାରୁ ଚିରଦିନ ପାଇଁ ବିଦାୟ ନେଇଛନ୍ତି। ଅନ୍ତିମ ସଂସ୍କାର ସମୟରେ ଏକ ଶୋକାକୂଳ ପରିବେଶ ସହିତ ଗୃହ ମନ୍ତ୍ରୀ ଅମିତ୍ ଶାହା ଏବଂ ରାଜନାଥ ସିଂହଙ୍କ ସମେତ ବିଜେପିର ବରିଷ୍ଠ ନେତା ଉପସ୍ଥିତ ରହି ଅରୁଣଙ୍କୁ ଶେଷ ବିଦାୟ ଦେଇଥିଲେ ।
ରବିବାର ଅପରାହ୍ନ ପ୍ରାୟ ୧ଟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରୁ ଜେଟଲୀଙ୍କ ପାର୍ଥିବ ଶରୀରକୁ ନିଗମବୋଧ ଘାଟସ୍ଥିତ ଶ୍ମଶାନକୁ ବିରାଟ ଶୋଭାଯାତ୍ରାରେ ଅଣାଯାଇଥିଲା। ସେଠାରେ ଜେଟଲୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ପରେ ବିଧି ଅନୁସାରେ କ୍ରିୟାକର୍ମ ସମ୍ପନ୍ନ ହେବା ପରେ ଶେଷକୃତ୍ୟ କରାଯାଇଥିଲା। ଉପସ୍ଥିତ ବରିଷ୍ଠ ନେତାମାନେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପୁଅ ରୋହନ ମୁଖାଗ୍ନି ଦେଇଥିଲେ।
ସୂଚନାଯୋଗ୍ୟ, ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶନିବାର ମଧ୍ୟାହ୍ଣ ୧୨ଟା ୭ ମିନିଟରେ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ୬୬ ବର୍ଷ ବୟସରେ ପରଲୋକ ଗମନ କରିଥିଲେ । ତାଙ୍କୁ 9 ଅଗଷ୍ଟରୁ ଏମ୍ସ ରେ ଭର୍ତ୍ତୀ କରାଯାଇଥିଲା ।