ଫୋନି ସହାୟତା ପାଇଁ ଅଦାନୀ ଗ୍ରୁପ୍ ୨୫କୋଟି, ICICI ବ୍ୟାଙ୍କ୍ ୧୦କୋଟି ଓ BOI ଦେଲା ୨୫ଲକ୍ଷ ଟଙ୍କା
1 min read
ଆଓରି-ଭୁବନେଶ୍ଵର(୦୭/୦୫) : ବାତ୍ୟା ଫୋନି ଆସି ଶ୍ରୀହୀନ କରିଦେଇଗଲା ରାଜ୍ୟକୁ । ଶ୍ରୀହୀନ ହୋଇପଡିଛି ଶ୍ରୀକ୍ଷେତ୍ର ଏପଟେ ମନ୍ଦିରମାଳିନୀ ଭୁବନେଶ୍ୱର ବି ବାଦ୍ ପଡିନାହିଁ । ନା ଅଛି ବିଜୁଳି, ନା ଅଛି ପିଇବାକୁ ପାଣି, ନା ରହିବାକୁ ଛାତ ଆଉ ନା ମିଳୁଛି ପେଟ ପାଇଁ ଦାନା । ନାହିଁ ନାହିଁରେ ବଞ୍ଚୁଛି ଜନଜୀବନ । ତେବେ ରାଜ୍ୟର ଏଭଳି ଦୁଃଖଦ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆସୁଛି ବିଭିନ୍ନ ଦିଗରୁ ସହାୟତା । ରାଜ୍ୟ ତଥା ମାନବ ଜାତିର ଶୁଭଚିନ୍ତକମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ବଢାଇଛନ୍ତି ସହାୟତାର ହାତ ।
ଏହିକ୍ରମରେ ଆଦାନୀ ପୋର୍ଟ ୨୫ କୋଟି, ICICI ବ୍ୟାଙ୍କ୍ ୧୦ କୋଟି ଓ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଯୋଗାଇଦେଇଛନ୍ତି ।
ସେହିପରି ଦୌଡ଼ରାଣୀ ଦୂତି ଚାନ୍ଦ ମଧ୍ୟ ରାଜ୍ୟର ଏପରି ଅସମୟରେ ସହାୟତାର ହାତ ବଡାଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।
ତେବେ ବଲିଉଡ ସୁପରଷ୍ଟାର ଖିଲାଡି ଅକ୍ଷୟ କୁମାର ମଧ୍ୟ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ଏଭଳି ଦୁଃଖ ସମୟରେ ଶୁଭଚିନ୍ତକ ହୋଇ ଠିଆ ହୋଇଛନ୍ତି । ପରୋପକାରୀ ଅକ୍ଷୟ ପୁଣି ନିଜ ଦୟାଳୁ ହୃଦୟର ପରିଚୟ ଦେଇଛନ୍ତି । ସେ ବାତ୍ୟା ଫୋନିର ପ୍ରଭାବରେ ରାଜ୍ୟର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜାଣିବା ପରେ, ୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି ।
ସୂଚନା ଯେ, ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜର ଏକ ବର୍ଷର ଦରମା ଏହି ଦୁର୍ଦିନରେ ଓଡ଼ିଶାବାସୀଙ୍କ ପାଇଁ ନିଜର ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସହାୟତାର ହାତ ବଢାଇଛନ୍ତି ।
ସେହିପରି ଫୋନିର ତାଣ୍ଡବ ପରେ ବାତ୍ୟା ପ୍ରଭାବିତଙ୍କ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୧ କୋଟିର ସହାୟତା ରାଶି ପ୍ରଦାନ କରିଛନ୍ତି । ଅନ୍ୟପଟେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ ୧୦ କୋଟି ଲେଖାଏଁ ସହାୟତା ରାଶି ଘୋଷଣା କରିସାରିଛନ୍ତି ।
ସୂଚନା ଥାଉ କି, ଗତକାଲି ବାତ୍ୟା ଫୋନିର ସ୍ଥିତି ଅନୁଧ୍ୟାନ କରି ରାଜ୍ଯାକୁ ୧୦୦୦ କୋଟିର ଅତିରିକ୍ତ ସହାୟତା ରାଶି ପ୍ରଦାନ କରିଛନ୍ତି । ପୂର୍ବରୁ ବାତ୍ୟା ଫୋନି ପାଇଁ ୩୪୧ କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ କେନ୍ଦ୍ର ସରକାର ।