ଭାରତ ରାଜଧାନୀ ନୂଆଦିଲ୍ଲୀରେ ପାଳିତ ହେଲା ୭୦ତମ ଗଣତନ୍ତ୍ର ଦିବସ
1 min read
ଆଓରି-ନୂଆଦିଲ୍ଲୀ(୨୬/୦୧) : ଆଜି ଦେଶ ପାଳୁଛି ୭୦ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ କଡ଼ାକଡ଼ି କରାଯାଇଛି। ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୨୫ ହଜାରରୁ ଅଧିକ ସୁରକ୍ଷା କର୍ମୀ ମୁତୟନ କରାଯାଇଛି । କେନ୍ଦ୍ରୀୟ ଦିଲ୍ଲୀ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ମୁହଁ ଚିହ୍ନଟ କରିପାରୁଥିବା କ୍ୟାମେରା ଲଗାଇଯାଇଛି ଏବଂ ବିଭିନ୍ନ ସ୍ଥାନରେ ସ୍ନାଇପର୍ ମୁତୟନ ହୋଇଛନ୍ତି। ଡ୍ରୋନ୍ କ୍ୟାମେରାରେ ନଜର ରଖାଯାଉଥିବା ବେଳେ ଶତାଧିକ ସ୍ଥାନରେ ଯାନବାହନ ଯାଞ୍ଚ ଜାରି ରହିଛି।
ଏଥର ଗଣତନ୍ତ୍ର ଦିବସରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ତେବେ ଗଣତନ୍ତ୍ର ଦିବସର କାର୍ୟ୍ୟକ୍ରମ ଦେଖିବା ପାଇଁ ବର୍ତମାନଠାରୁ ହିଁ ଲୋକମାନଙ୍କ ଭିଡ ଦେଖିବାକୁ ମିଳିଛି । ସେହିପରି ଦିଲ୍ଲୀରୁ ଦୁଇ ଜଣ ଜୈଶ ଏ ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହି ଦୁଇ ଆତଙ୍କବାଦୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ଅବସରରେ ଆକ୍ରମଣ ଯୋଜନା କରିଥିଲେ। ଏହି ଆତଙ୍କବାଦୀମାନେ ଲାଜପତ ନଗର ମାର୍କେଟ୍, ହାଜି ମଂଜିଲ, ତୁର୍କମାନ ଗେଟ୍, ପାହାଡ଼ଗଂଜ, ଇଣ୍ଡିଆ ଗେଟ୍ ଏବଂ ଆଇଜିଏଲ୍ ଗ୍ୟାସ୍ ପାଇପ୍ ଲାଇନକୁ ଟାର୍ଗେଟ କରି ଯୋଜନା କରିଥିଲେ।