ଆତଙ୍କବାଦୀ ଆକ୍ରମଣରେ ୩ ଯବାନ ସହିଦ ଜଣେ ଗୁରୁତର ଆହତ
1 min read
ଆଓରି-ନୂଆଦିଲ୍ଲୀ(୧୧/୧୨) : ଜମ୍ମୁ-କଶ୍ମୀରର ସୋପିଆଁଠାରେ ଆତଙ୍କବାଦୀ ଆକ୍ରମଣରେ ମଙ୍ଗଳବାର ୩ ଜଣ ପୁଲିସ୍ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି। ମୃତକମାନେ ହେଉଛନ୍ତି ସୋପର ଅଞ୍ଚଳର ମେହରାଜ, ସାଲବଗ୍ର ଅବଦୁଲ୍ ମଜିଦ୍ ଏବଂ ମିରହାମା ଅନନ୍ତନାଗର ହମିଦୁଲ୍ହା। ଆହତ ହୋଇଥିବା ପୁଲିସ୍କର୍ମୀଙ୍କୁ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କୁ ସେଠାରେ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ସ୍ଥିତିରେ ଥିବା ସୂଚନା ରହିଛି।
ସୂଚନା ଅନୁଯାୟୀ , ପୁଲିସ୍ମାନେ ସଂପୃକ୍ତ ଅଞ୍ଚଳର ସଂଖ୍ୟାଲଘୁ ସଂପ୍ରଦାୟକୁ ସୁରକ୍ଷା ପ୍ରଦାନ କରୁଥିଲେ। ମଙ୍ଗଳବାର ଅପରାହ୍ନରେ ଅଚାନକ ଆତଙ୍କବାଦୀମାନେ ସୋପିଆଁଠାରେ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଆକ୍ରମଣ କରିଥିଲେ। ସେମାନେ ଆକ୍ରମଣ କରିବାରୁ ସେଠାରେ ନିୟୋଜିତ ହୋଇଥିବା ପୁଲିସ୍କର୍ମୀମାନେ ସେମାନଙ୍କୁ ସାମ୍ନା କରିବାକୁ ଆଗକୁ ଆସିଥିଲେ। ଫଳରେ ଆତଙ୍କବାଦୀଙ୍କ ଗୁଳିରେ ୩ ପୁଲିସ୍ ସେଠାରେ ଟଳି ପଡ଼ିଥିଲେ।