ମଦକୁ ବିରୋଧ ପଡିଲା ମହଙ୍ଗା ; ୧୨ଜଣ ଗିରଫ
1 min read
ଆଓରି-ଭୁବନେଶ୍ଵର(୦୮/୦୨) : ମଦକୁ ବିରୋଧ କରି ରାଜଧାନୀରେ ଆନ୍ଦୋଳନ କରିବା ମହଙ୍ଗା ପଡିଛି। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ କଟକ ଓ ପୁରୀରୁ ଶୋଭାଯାତ୍ରାରେ ଆସିଥିବା ଆନ୍ଦୋଳନକାରୀମାନେ ଗୁରୁବାର ନବୀନ ନିବାସକୁ ପଶିବାକୁ ଉଦ୍ୟମ କରିବା ସହ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଉଭୟ ସ୍ଥାନରେ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିବାବେଳେ ଆଇନ ଉଲ୍ଲଂଘନ ଅଭିଯୋଗରେ ଶହୀଦନଗର ଥାନା ପୋଲିସ ୧୨ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନାମରେ ଆଇପିସି ଦଫା ୧୪୩, ୨୪୮, ୩୨୩, ୩୯୪, ୨୮୩, ୩୩୨, ୩୫୩, ୫୦୬, ୧୪୭, ୧୪୯ରେ ମାମଲା ନଂ. ୭୨/୧୯ ରୁଜୁ କରିଛି। ରାତିରେ ପୋଲିସ ସେମାନଙ୍କୁ ୟୁନିଟ୍-୨ସ୍ଥିତ ମାଜିଷ୍ଟ୍ରେଟ୍ଙ୍କ ବାସଭବନରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସମ୍ପୃକ୍ତ ଆନ୍ଦୋଳନକାରୀଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି। ତେବେ ପୋଲିସର ଗିରଫଦାରୀକୁ ନେଇ ନିଶା ନିବାରଣ ଅଭିଯାନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ମିଳିଥିବା ସୂଚନାନୁସାରେ, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ମହିଳା ଓ ପୁରୁଷ ମଙ୍ଗଳବାରଠାରୁ କଟକ ରେଳ ଷ୍ଟେଶନରୁ ଭୁବନେଶ୍ୱର ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ। ସେହିପରି ପୁରୀରୁ ମଧ୍ୟ ଆଉ ଏକ ଶୋଭାଯାତ୍ରା ବାହାରିଥିଲା। ବିଭିନ୍ନ ସ୍ଥାନରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଗୁରୁବାର ଆନ୍ଦୋଳନକାରୀମାନେ ଭୁବନେଶ୍ୱରରେ ପହଞ୍ଚତ୍ୟାଇଥିଲେ। କଟକରୁ ଆସିଥିବା ଆନ୍ଦୋଳନକାରୀମାନେ ସତ୍ସଙ୍ଗ ବିହାର ସମ୍ମୁଖ ଜାତୀୟ ରାଜପଥକୁ ଅବରୋଧ କରି ପ୍ରତିବାଦ ଜଣାଇଥିବାବେଳେ ପୁରୀର ଆନ୍ଦୋଳନକାରୀମାନେ ନବୀନ ନିବାସକୁ ପଶିବାକୁ ଉଦ୍ୟମ କରିଥିଲେ। ତେବେ ସତ୍ସଙ୍ଗ ବିହାର ସମ୍ମୁଖରେ ଜାତୀୟ ରାଜପଥ ଅବରୋଧବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ୪୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ରାସ୍ତା ଉପରେ ଶୋଇ ରହିବାରୁ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା। ରସୁଲଗଡ଼ ପାର୍ଶ୍ୱରୁ ସତ୍ସଙ୍ଗ ସଂଘ ପର୍ଯ୍ୟନ୍ତ ଶହଶହ ଗାଡି ଅଟକି ରହିଥିଲା। ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ମଦ ବନ୍ଦ କରା ନ ଗଲେ ରାଜରାସ୍ତାରୁ ଓହ୍ଲାଇବୁ ନାହିଁ ବୋଲି ଆନ୍ଦୋଳନକାରୀମାନେ ଅଡିବସିଥିଲେ। ଶେଷରେ ପୋଲିସ ଜବରଦସ୍ତ ଆନ୍ଦୋଳନକାରୀଙ୍କୁ ଉଠାଇ ନେବା ସହ ରାସ୍ତାରେ ଗାଡି ଚଳାଚଳ ସ୍ଵଭାବିକ ହୋଇଥିଲା। ସେହିଭଳି ପୁରୀପଟୁ ଆସିଥିବା ମହିଳା ଆନ୍ଦୋଳନକାରୀମାନେ ନବୀନ ନିବାସ ଭିତରକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ସେଠାରେ ପୋଲିସ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ ସେମାନଙ୍କୁ କାବୁ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ମଧ୍ୟ ନାକେଦମ୍ ହେବାକୁ ପଡିଥିଲା। ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତିି, ବେଆଇନ ଭାବେ ରାସ୍ତାକୁ ଅବରୋଧ କରିବା ସହ ଅନ୍ୟ କେତେକ ଅଭିଯୋଗରେ ମିଳିତ ନିଶା ନିବାରଣ ଅଭିଯାନର ୧୨ଜଣଙ୍କୁ ଗିରଫ କରାଯାଇଥିଲା।