ବାତ୍ୟା ପରେ ବିଜୁ ଯୁବବାହିନୀ ଅଦୃଶ୍ୟ
1 min read
ସାମୁଦ୍ରିକ ଝଡ଼ ଫୋନି, ଓଡ଼ିଶା ଆସିବାର ୭ଦିନ ବିତିଗଲାଣି । ଆଜି ଯାଏଁ ବି ଲୋକ ଅନ୍ଧାରରେ ରହିଛନ୍ତି । ଫୋନି ପ୍ରଭାବରେ ପ୍ରାୟ ଅଧା ରାଜ୍ୟ ପ୍ରଭାବିତ ହୋଇଛି । ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଭୁବନେଶ୍ୱର-ପୁରୀ-ଖୋର୍ଦ୍ଧା ଅଧିକ କ୍ଷତିଗ୍ରସ୍ତ ହୋଇଛି । ତେବେ ଫୋନି ପ୍ରଭାବରୁ ବାହାରିବା ପାଇଁ ବାହାର ରାଜ୍ୟରୁ କୁଶଳୀ ଶ୍ରମିକ, ଅଣକୁଶଲୀ ଶ୍ରମିକ, ଅର୍ଦ୍ଧକୁଶଳୀ ଶ୍ରମିକ ଅଣାଯାଉଛି ।
କିନ୍ତୁ କଥା ଉଠିଛି ଯେ, ରଜ୍ୟରେ ବିଜୁ ଯୁବ ବାହିନୀ ଗଲେ କୁଆଡ଼େ । ବିଜୁ ଯୁବ ବାହିନୀର କାମ କ’ଣ ? ବାତ୍ୟା ସମୟରେ ସେମାନଙ୍କ ଦେଖା ନାହିଁ କାହିଁକି ? ବିଜୁ ଯୁବ ବାହିନୀର ପୂର୍ବତନ ସିଇଓ ଅରୁପ ପଟ୍ଟନାୟକ କୁଆଡ଼େ ଗଲେ ସେ କହିଁକି ଚୁପ୍ ବସିଛନ୍ତି ? ଏଭଳି ପ୍ରଶ୍ନ ଏବେ ସାଧାରଣରେ ଗୁଞ୍ଜରଣ ହେଉଛି । କାରଣ ବତ୍ୟା ପ୍ରଭାବିତ ଅଞ୍ଚଳରେ କାମ କରିବା ପାଇଁ ଲୋକ ନଥିବାରୁ ବାହାର ରାଜ୍ୟରୁ ସରକାର ଶ୍ରମିକ ଆମଦାନୀ କରୁଛନ୍ତି ।
ରାଜ୍ୟରେ ବିଜୁ ଯୁବ ବାହିନୀ ଭତ୍ତା ପାଉଛନ୍ତି । ସେମାନଙ୍କୁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ଚାରା ରୋପଣ ଦାୟିତ୍ୱ ମଧ୍ୟ ଦେଇଛନ୍ତି । ସେମାନଙ୍କ ପାଇଁ ସ୍ପେସାଲ ବଜେଟ ମଧ୍ୟ କରାଯାଇଛି । ଯେତେବେଳେ ବିଜୁ ଯୁବ ବାହିନୀ ନୂଆ କରି ଗଠନ ହୋଇଥିଲେ ସେତେବେଳେ ବିଭିନ୍ନ ସାମାଜିକ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯିବ ବୋଲି ଡେଙ୍ଗୁରା ପିଟୁଥିଲେ ସରକାର । ଖାଲି ସେତିକି ନୁହେଁ ସେମାନେ ରାସ୍ତା ସଫା, ପୋଖରୀ ସଫା, ନାଳ ସଫା ଆଦି କାମ କରି ସୋସିଆଲ ମିଡିଆରେ ଫଟୋ ଛାଡ଼ି ଅନେକ ବାହାବାହା ସାଉଁଟିଥିଲେ ମଧ୍ୟ ।
କିନ୍ତୁ ଯେତେବେଳେ ବିଜୁ ଯୁବ ବାହିନୀର ପ୍ରକୃତ ଆବଶ୍ୟକ ପଡ଼ିଲା ସେତେବେଳେ ସେମାନଙ୍କର ଦେଖା ମିଳିଲା ନାହିଁ । ସେମାନେ କୁଆଡ଼େ ଗଲେ ବୋଲି ଏବେ ପ୍ରଶ୍ନ ଉଠୁଛି । ବିଜୁ ଯୁବ ବାହିନୀଙ୍କୁ କାହିଁକି ଫୋନି ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଗଲା ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି । ବାହାର ରାଜ୍ୟରୁ ଲୋକ ଅଣାଯିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଯଦି ସେମାନଙ୍କୁ କାର୍ଯ୍ୟରେ ଲଗାଯାଇଥାନ୍ତା ତେବେ ଆଜି ସୁଦ୍ଧା ଅନେକ ସମସ୍ୟାର ସମାଧାନ ହୋଇ ସାରିଥାନ୍ତା ।