କେଦାରନାଥରେ ପୂଜାର୍ଚ୍ଚନା ପାଇଁ ପହଞ୍ଚିଲେ ନରେନ୍ଦ୍ର ମୋଦି
1 min read
ଆଓରି-ନୂଆଦିଲ୍ଲୀ(୧୮/୦୫) : ସରିଛି ନିର୍ବାଚନ ପ୍ରଚାର । ଆସନ୍ତାକାଲି ଶେଷ ମତଦାନ । ପାଞ୍ଚ ବର୍ଷର ଉପଲବ୍ଧିକୁ ନେଇ ମୋଦି ପୁଣି ସତ୍ତାକୁ ଆସିବେ କି ନାହିଁ ମେ’୨୩ରେ ଜଣାପଡ଼ିବ । ଏହାରି ଭିତରେ ନିର୍ବାଚନ ପ୍ରଚାର ଶେଷ କରି ଦୁଇ ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭଗବାନ ଶିବଙ୍କ ଆରାଧନା କରି ମନକୁ ଟିକିଏ ଶାନ୍ତି ଦେବାକୁ କେଦାରନାଥରେ ପହଞ୍ଚି ପୂଜାର୍ଚ୍ଚନା କରୁଛନ୍ତି ନମୋ ।
ଅନେକ ସମୟ ଧରି ବାବା କେଦାରନାଥଙ୍କ ପୂଜା କରିଛନ୍ତି । ମୁଣ୍ଡରେ ଚନ୍ଦନ ବେକରେ ମାଳି ପିନ୍ଧି ଶିବଙ୍କ ଆରାଧନାରେ ମଗ୍ନ ଥିଲେ ମୋଦି । କେବଳ ସେତିକି ନୁହେଁ ଇଶ୍ୱର ବିଶ୍ୱାସୀ ମୋଦି କେଦାରନାଥରେ ନିର୍ମିତ ହୋଇଥିବା ଗୁମ୍ଫାରେ ଧ୍ୟାନରେ ବସିବେ । ସମୂଦ୍ର ତଟରୁ ୧୧,୭୦୦ ଫୁଟ ଉଚ୍ଚରେ ଥିବା ଏଗାରତମ ଜୋର୍ତିଲିଙ୍ଗ କେଦାରନାଥରେ ମୋଦିଙ୍କୁ ଦେଖି ଶ୍ରଦ୍ଧାଳୁଙ୍କ ମନରେ ନାହିଁ ନଥିବା ଉତ୍ସାହ । କେଦାରନାଥ ମନ୍ଦିର ପରିସରରୁ ନବନିର୍ମିତ ଗୁମ୍ଫାର ଉଚ୍ଚତା ପାଖାପାଖି ଦେଢ କିଲୋମିଟର । ଯଦିଓ ଆଜି କେଦାରନାଥ ଏବଂ ବଦ୍ରିନାଥରେ ବର୍ଷା ହେବାର ସମ୍ଭାବନା ଅଛି କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଉପରେ କିଛି ପ୍ରଭାବ ପଡ଼ିବନି ।
ସୂଚନାଯୋଗ୍ୟ, ୨୦୧୭ରେ ଯେତେବେଳେ କେଦାରନାଥଙ୍କ ଦ୍ୱାର ଖୋଲିଥିଲା ପ୍ରଥମ ଭକ୍ତ ଭାବେ ମୋଦି ସେଠାରେ ପହଞ୍ଚିଥିଲେ । କେଦାରନାଥଙ୍କ ପୂଜା କରିବା ସହ ରୁଦ୍ରାଭିଷେକ ମଧ୍ୟ କରିଥିଲେ ନମୋ । ୨୦୧୩ରେ କେଦାରନାଥ ମନ୍ଦିର ଉପରେ ଆସିଥିବା ବିପଦର ମୁକାବିଲା କରିବା ପାଇଁ ମୋଦି ଦାୟିତ୍ୱ ନେଇଥିଲେ । ଏହାପରେ କେଦାରନାଥ ଗୁମ୍ଫାର ପୁନଃନିର୍ମାଣ ପାଇଁ ମୋଦି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ତେବେ ପୂର୍ବବର୍ଷ ଗୁମ୍ଫା ତିଆରି ସମ୍ପୂର୍ଣ୍ଣ ହୋଇଛି । ଏହି ବର୍ଷ ମହାରାଷ୍ଟ୍ରର ଜୟ ଶାହଙ୍କ ପରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଭକ୍ତ ଭାବେ ଏହି ଗୁମ୍ପାରେ ରହିବେ ।